ରେଳରୋକକୁ ନା ! କୌଣସି କାରଣରୁ ରେଳରୋକ କଲେ ହେବ ଫୌଜଦାରୀ ମାମଲା

42

କନକ ବ୍ୟୁରୋ: ଏଣିକି କୌଣସି କାରଣରୁ ରେଳରୋକ କଲେ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଫୌଜଦାର ମାମଲା ହେବ । ଏପରିକି ରେଳଷ୍ଟେସନରେ କିମ୍ବା ରେଳ ଭିତରେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବାର ସୂଚନା ମିଳିଲେ ବି ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ନକ୍ସଲ ପ୍ରଭାବିତ ଇଲାକାରେ ଥିବା ରେଳଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ।

ରେଳ ସୁରକ୍ଷାକୁ ନେଇ ଭୁବନେଶ୍ୱରରେ ବସିଥିବା ରାଜ୍ୟସ୍ତରୀୟ ସୁରକ୍ଷା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିଛି ଦିନ ହେବ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ରେଳରୋକ କରାଯାଉଛି । ଫଳରେ ଯାତ୍ରୀମାନେ ହଇରାଣ ହେବା ସହ ସରକାର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । କୋର୍ଟ ମଧ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ ଦଣ୍ଡ ଶୁଣାଣି କରି ଦଣ୍ଡ ଦେବାର ନଜିର ରହିଛି ।

ତେଣୁ ଏସବୁ ସ୍ଥିତିକୁ ଏଡାଇବାକୁ ପୋଲିସ ମହାନିର୍ଦ୍ଦେଶକ ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରେଳରୋକ ଦ୍ୱାରା ହେଉଥିବା ଆର୍ଥିକ କ୍ଷତିକୁ ମଧ୍ୟ ଆନ୍ଦୋଳନକାରୀଙ୍କଠାରୁ ଭରାଯିବ ।