ମୋବାଇଲ ଆପ୍ ସାହାଯ୍ୟରେ ନୋଟ୍ ଚିହ୍ନିପାରିବେ ଦୃଷ୍ଟିହୀନ! ରିଜର୍ଭ ବ୍ୟାଙ୍କର ପ୍ରୟାସ

64

ନୋଟକୁ ଦୃଷ୍ଟିହୀନମାନେ ଯେଭଳି ସହଜରେ ଚିହ୍ନଟ କରିପାରିବେ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା ଚଳାଇଛି । ପ୍ରଯୁକ୍ତି ଯଥା ମୋବାଇଲ ଫୋନର ଉପଯୋଗ କରି ନୋଟ୍ ଚିହ୍ନଟ ସୁବିଧା ଦୃଷ୍ଟିହୀନମାନଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ୧୦୦ ଟଙ୍କିଆ ଏବଂ ତଦୂର୍ଦ୍ଧ୍ବ ମୂଲ୍ୟର ନୋଟକୁ ଦୃଷ୍ଟିହୀନମାନେ ଯେପରି ସହଜରେ ଚିହ୍ନି ପାରିବେ ସେଥିପାଇଁ ଇଣ୍ଟାଲଗିଓ ପ୍ରିଣ୍ଟିଂ ନାମକ ଏକ ବୈଶିଷ୍ଟ୍ୟ ଟଙ୍କାରେ ରହିଛି । ଅର୍ଥାତ୍ ନୋଟରେ ହାତକୁ ଜଣା ପଡ଼ିବା ଭଳି କେତୋଟି ଚିହ୍ନ ଓ ଗାର ରହିଥାଏ । ଯାହାକୁ ହାତ ମାରି ଦୃଷ୍ଟିହୀନମାନେ ନୋଟ୍‌ଟି କେତେ ମୂଲ୍ୟର ତାହା ଜାଣିପାରୁଛନ୍ତି ।

ରିଜର୍ଭ ବ୍ୟାଙ୍କର ନୂଆ ପଦକ୍ଷେପ କାର୍ଯ୍ୟକାରୀ ହେଲେ ନୋଟ ଚିହ୍ନଟ କରିବାରେ ଦୃଷ୍ଟିହୀନମାନଙ୍କୁ ସହଜ ହେବ । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମୁଦ୍ରା ଚିହ୍ନଟ କରିବା ଲାଗି ଉପକରଣ/ବ୍ୟବସ୍ଥାର ବିକାଶ କରିବା ଲାଗି କମ୍ପାନିଙ୍କଠାରୁ ଆଗ୍ରହପତ୍ର ଆହ୍ବାନ କରାଯାଇଛି। ଏହି ଉପକରଣ/ବ୍ୟବସ୍ଥାଟି ହାତରେ ଧରିଥିବା ଉପକରଣ ମାଧ୍ୟମରେ ଚିହ୍ନଟ ହେବ । ନୋଟକୁ ହାତରେ ଧରିଥିବା ଉପକରଣ ନିକଟରେ/ସାମ୍ନାରେ/ଭିତରେ ରଖିବା କିମ୍ବା ତଳ ଉପର କରିବା ଦ୍ବାରା ଦୃଷ୍ଟିହୀନମାନେ ଖୁବ୍ କମ୍ ସମୟ (ପ୍ରାୟତଃ ୨ ସେକେଣ୍ଡ ମଧ୍ୟରେ) ନୋଟକୁ ଚିହ୍ନଟ କରିପାରିବେ ।

ନୋଟର ମୂଲ୍ୟ କେତେ ତାହା ହିନ୍ଦୀ ଓ ଇଂରାଜୀ ଭାଷାରେ ଉପକରଣଟି ପଢ଼ିଦେବ ବୋଲି ‌ଟେଣ୍ଡର ଦସ୍ତାବିଜରୁ ଜଣାଯାଇଛି । ସଫ୍ଟଓୟାର ଭିତ୍ତିକ ନୋଟ୍ ଚିହ୍ନଟ ସମାଧାନ ମିଳିଲେ ସେହି ସଫ୍ଟଓୟାରଟି ମୋବାଇଲ ଫୋନରେ କିମ୍ବା ହାର୍ଡଡ୍ରାଇଭରେ କିମ୍ବା ଉଭୟରେ ଚାଲିପାରୁଥିବା ଆବଶ୍ୟକ । ଏପରିକି ଏଥିପାଇଁ ଡିଭାଇସରେ କୌଣସି ଡାଟା ସଂଯୋଗର ଆବଶ୍ୟକତା ରହିବ ନାହିଁ । ଅର୍ଥାତ ବିନା ଡାଟା ସଂଯୋଗରେ ଉକ୍ତ ବ୍ୟବସ୍ଥା ନୋଟ୍ ଚିହ୍ନଟ କରିପାରୁଥିବା ଆବଶ୍ୟକ ।

ହାର୍ଡଓୟାର ଭିତ୍ତିକ ସେବା ସୁବିଧା ହେଲେ ଉପକରଣଟି ବ୍ୟାଟେରି ଦ୍ବାରା ଚାଲୁଥିବା, ରିଚାର୍ଜ ହୋଇପାରୁଥିବା ଏକ ଛୋଟ ଓ ଧରିବା ପାଇଁ ସୁବିଧା ହୋଇଥିବା ‌ଆବଶ୍ୟକ । ଏପରିକି ଏଥିପାଇଁ କୌଣସି ଅତିରିକ୍ତ ଆଲୋକ କିମ୍ବା ସୂର୍ଯ୍ୟାଲୋକର ଆବଶ୍ୟକତା ନଥିବା ଜରୁରୀ । ଦେଶରେ ଏବେ ପ୍ରାୟ ୮୦ ଲକ୍ଷ ଦୃଷ୍ଟିହୀନ ଅଛନ୍ତି ଯେଉଁମାନଙ୍କ ପାଇଁ ନୋଟ୍ ଚିହ୍ନିବା ଷ୍ଟିକର ରହୁଛି ।