ବ୍ୟାଙ୍କ୍ ଉପରେ ଆରବିଆଇ ଆଖି ! ନଭେମ୍ବର ୮ରୁ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

43

କନକ ବ୍ୟୁରୋ : ବିମୁଦ୍ରାକରଣ ପରଠାରୁ ବ୍ୟାଙ୍କର ସବୁ କାରବାରର ଛାନଭିନ୍ କରିବ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ନଭେମ୍ବର ୮ ତାରିଖରୁ ବ୍ୟାଙ୍କ କାରବାରର ସିସିଟିଭିରେ ରେକର୍ଡ ହୋଇଥିବା ସମସ୍ତ ଦୃଶ୍ୟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ନୋଟକୁ କିଭଳି ଜମା କରାଯାଇଛି ଓ ନୂଆ ନୋଟ୍ ସବୁ ଠିକ୍ ଭାବରେ ବଣ୍ଟନ କରାଯାଇଛି କି ନାହିଁ , ତା ଉପରେ ଆରବିଆଇର ଆଖି । ନିକଟରେ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ରେଡ୍ କରି କୋଟି କୋଟି ଟଙ୍କାର ନୂଆ ନୋଟ୍ ଜବତ କରିବା ପରେ ଏହି ପଦକ୍ଷେପ ନେଇଛି ଆରବିଆଇ ।

କିଛି ଲୋକଙ୍କ ପାଖକୁ କୋଟି କୋଟି ଟଙ୍କାର ନୂଆ ନୋଟ୍ କେମିତି ଆସିଲା ତାହା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସପ୍ତାହକୁ ମାତ୍ର ୨୪,୦୦୦ ଟଙ୍କାର ଉଙ୍ଖାଣ ସୀମା ଓ ଏଟିଏମରୁ ମାତ୍ର ୨୫୦୦ ଟଙ୍କା ମିଳୁଥିବା ବେଳେ ଏମାନଙ୍କ ପାଖକୁ ଏତେ ନୋଟ୍ ଆସିଲା କେମିତି । ତେଣୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ମାନଙ୍କୁ ଚିଠି ଲେଖି ଆରବିଆଇ କହିଛି ଏସବୁ ଘଟଣାର ତଦନ୍ତ ପାଇଁ ନଭେମ୍ବର ୮ରୁ ଡିସେମ୍ବର ୩୦ ତାରିଖର ସିସିଟିଭି ରେକର୍ଡ ସହାୟତା କରିବ ।

ବ୍ୟାଙ୍କ୍ ଗୁଡିକୁ ଦେଇଥିବା ନିର୍ଦେଶରେ ଆବିଆଇ କହିଛି ନୂଆ ନୋଟ୍ ବଣ୍ଟନରେ ସମସ୍ତ ରେକର୍ଡ ସେମାନଙ୍କୁ ଦେବାକୁ ହେବ । ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ସମସ୍ତ ବ୍ୟାଙ୍କର ବ୍ୟାଙ୍କି ହଲ୍ ଓ କାଉଣ୍ଟର୍ ଗୁଡିକୁ ସିସିଟିଭି ପରିସର ଭିତରକୁ ଆଣିବାକୁ ନିର୍ଦେଶ ଦିଆଯାଇଥିଲା ।

ବିମୁଦ୍ରାକରଣ ପରେ ନୂଆ ନୋଟ୍ ପାଇଁ ସାଧାରଣ ଜନତା ଏଟିଏମ୍ ଘଂଟା ଘଂଟା ଧରି ଲାଇନରେ ଛିଡା ହୋଇ ୨୦୦୦ର ଗୋଟିଏ ନୋଟ୍ ପାଉଥିବା ବେଳେ ଏପଟେ କିଛି ବଡ ବଡିଆଙ୍କ ପାଖରେ ଅଚଳାଚଳ ନୂଆ ନୋଟ୍ । ଆଉ ବ୍ୟାଙ୍କ୍ କର୍ମଚାରୀଙ୍କ ବିନା ସହାୟତାରେ ଏହା ସମ୍ଭବ ନୁହେଁ ।