ହେଲିକପ୍ଟରରେ ଆସୁଛି ଟଙ୍କା : ନୋଟ୍ ବ୍ୟାନ୍ ପରେ ଉପାନ୍ତ ଅଂଚଳରେ ବିକଳ୍ପ ପାଇଁ ଆରବିଆଇର ପଦକ୍ଷେପ

32

କନକ ବ୍ୟୁରୋ : ହେଲିକପ୍ଟରରେ ଆସୁଛି ଟଙ୍କା । ପ୍ରଥମଥର ଲାଗି ଏଭଳି ଟଙ୍କା ଏୟାର ଲିଫ୍ଟର ଚିତ୍ର ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ କଳାଧନ ଉପରେ ସର୍ଜିକାଲ ଆଟାକ ପରେ ସାରାଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ପୁରୁଣା ୫୦୦ ଓ ହଜାରେ ଟଙ୍କିିଆ ନୋଟ ବ୍ୟାଙ୍କରେ ଜମା କରି ନୂଆ ନୋଟ ନେବାକୁ ଲୋକେ ବ୍ୟାକୂଳ । ଆଉ ଲୋକଙ୍କ ଆବଶ୍ୟକତା ପୂରଣ କରିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରାଥମିକତା ।

ତେଣୁ ଦେଶବ୍ୟାପୀ ବ୍ୟାଙ୍କ ଶାଖାଗୁଡିକରେ ନୂଆ କିମ୍ବା ଅନ୍ୟ ଖୁଚୁରା ନୋଟ ପହଂଚାଇବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୧୦ ତାରିଖରୁ ବ୍ୟାଙ୍କ ଖୋଲିବା ପରେ ଲୋକଙ୍କ ଭିଡ ହେବା ଆଶା କରାଯାଉଥିଲା । ଆଉ ସେଥିପାଇଁ ଉପାନ୍ତ ଅଂଚଳରେ ତତକ୍ଷଣାତ ପର୍ଯ୍ୟାପ୍ତ ଟଙ୍କା ପହଂଚାଇବା ପାଇଁ ଭାରତୀୟ ବାୟୁ ସେନାର ସହାୟତା ନେଇଥିଲା ଆରବିଆଇ । କୁହାଯାଉଛି ଝାଡଖଣ୍ଡର ଜାମସେଦପୁର ଓ ବୋକାରୋ ପରି ଅଂଚଳରେ ବ୍ୟାଙ୍କ ଶାଖାଗୁଡିକୁ ଟଙ୍କା ପଠାଇବାରେ ବିଳମ୍ବ ହେବା ଆଶଙ୍କା କରାଯାଉଥିଲା ।

ସେଥିପାଇଁ ଆରବିଆଇ ଓ କେନ୍ଦ୍ର ସରକାରଙ୍କ ଅନୁମତି ପରେ ପ୍ରାୟ ୧୦୦ କୋଟି ଟଙ୍କାକୁ ଏୟାର ଲିଫ୍ଟ କରାଯାଇଥିଲା । ଏଥିପାଇଁ ଝାଡଖଣ୍ଡ ସରକାରଙ୍କ ସହ ଆଲୋଚନା କରାଯିବା ପରେ ପ୍ରଶାସନ ନିଜ ବ୍ୟବହାର ପାଇଁ ରଖିଥିବା ଏକ ହେଲିକପ୍ଟର ଓ ଝାଡଖଣ୍ଡ ପୋଲିସର ଏକ ହେଲିକପ୍ଟରରେ ପାଟନା ଆରବିଆଇ ଶାଖାରୁ ଜାମସେଦପୁର ଏବଂ ବୋକାରୋକୁ ୬ଟି ବାକ୍ସରେ ଭର୍ତି ଟଙ୍କା ପଠାଯାଇଥିଲା । ଟଙ୍କାର ପରିମାଣ ଅଧିକ ନଥିଲେ ମଧ୍ୟ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ଟଙ୍କା ପହଂଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ।