ଏବେ ବି ଚାଲିଛି ଅଚଳ ନୋଟ୍‌ ଯାଞ୍ଚ : ଆରବିଆଇ

34

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ୧ ବର୍ଷ ପୂରିବାକୁ ବସିଲାଣି ମାତ୍ର ଏବେ ବି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ଯାଞ୍ଚ ବନ୍ଦ ହୋଇ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆରବିଆଇ) ପକ୍ଷରୁ ପ୍ରକାଶ ପାଇଛି।

ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ପ୍ରକାଶ କରିଛି ଯେ ‘ ସେପ୍ଟେମ୍ବର ୩୦ ସୁଦ୍ଧା ୧୧୩୪ କୋଟି ଖଣ୍ଡ ପୁରୁଣା ୫୦୦ ନୋଟ୍‌ ଏବଂ ୫୨୪.୯୦ କୋଟି ଖଣ୍ଡ ୧୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କ୍‌ରେ ଜମା ହୋଇଛି।’ ତେବେ, ଏହି ୫୦୦ ଓ ୧୦୦୦ ଟଙ୍କିଆ ଅଚଳ ନୋଟ୍‌ର ମୂଲ୍ୟ ସମୁଦାୟ ୧୦.୯୦ ଲକ୍ଷ କୋଟି ବୋଲି ଜାଣିବାକୁ ମିଳିିଛି।

ଆର୍‌ବିଆଇ ପକ୍ଷରୁ ପ୍ରକାଶ ପାଇଛି ଯେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗଣନା କରିବା ପାଇଁ ୬୬ଟି ସୋଫିଷ୍ଟିକେଟେଡ କରେନ୍ସି ଭେରିଫିକେସନ୍‌ ଆଣ୍ଡ୍‌ ପ୍ରସେସିଂ(ସିଭିପିଏସ୍‌) ବ୍ୟବହାର କରାଯାଇଛି। ଉଲ୍ଳେଖଯୋଗ୍ୟ, ଦେଶକୁ କଳାଧନ ମୁକ୍ତ କରିବା ପାଇଁ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ନିଷ୍ପତ୍ତି ନେଇଥିଲେ। ମୋଦିଙ୍କର ଏହି ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନଭେମ୍ବର ୮ ତାରିଖକୁ ଏଣିକି ତାଙ୍କ ଦଳ ତୃଣ ମୂଳ କଂଗ୍ରେସ ‘କଳା ଦିବସ’ ଭାବେ ପାଳନ କରିବ। ଅନ୍ୟ ପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି ଯେ ଏହି ଦିନକୁ ବିଜେପି ପକ୍ଷରୁ ‘କଳା ଧନ ବିରୋଧୀ ଦିବସ’ ଭାବେ ପାଳନ କରାଯିବ।