ଏଣିକି ଦୃଷ୍ଟିହୀନ ବ୍ୟକ୍ତି ସହଜରେ ଚିହ୍ନିପାରିବେ ନୋଟ୍ । ରିଜର୍ଭ ବ୍ୟାଙ୍କ ଉନ୍ମୋଚନ କଲା ନୂଆ ମୋବାଇଲ୍ ଆପ୍ ‘ମନି’ ।

198

କନକ ବ୍ୟୁରୋ : ଏବେ ଦୃଷ୍ଟିହୀନ ଲୋକମାନଙ୍କୁ ବ୍ୟାଙ୍କନୋଟ ଚିହ୍ନିବାରେ କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍‌ ପ୍ରସ୍ତୁତ କରାଯାଇଛି । ଏହାର ନାଁ ହେଉଛି ମନି ବା ମୋବାଇଲ୍‌ ଏଡେଡ୍‌ ମୋଟ ଆଇଡେଣ୍ଟିଫାୟର । ଏହି ଆପକୁ ବ୍ୟବହାର କରି ଦୃଷ୍ଟିହୀନମାନେ ବ୍ୟାଙ୍କ ନୋଟକୁ ଚିହ୍ନିପାରିବେ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାରଦିନ ଏହି ଆପର ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବ୍ୟାଙ୍କ ନୋଟଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ରହିଛି ଯଦ୍ୱାରା ଦୃଷ୍ଟିହୀନ, ଆଂଶିକ ଦୃଷ୍ଟିହୀନ, ବର୍ଣ୍ଣାନ୍ଧ ବ୍ୟକ୍ତିମାନେ ନୋଟ ଚିହ୍ନିପାରିବେ । ଏଗୁଡ଼ିକ ହେଉଛି ଇନଟାଗଲିଓ ପ୍ରିଣ୍ଟିଂ, ଟାକଟାଇଲ ମାର୍କ, ବଡ଼ ଅକ୍ଷର, ସ୍ୱତନ୍ତ୍ର ରଂଗ ଓ ବିନ୍ୟାସ ଇତ୍ୟାଦି ।

ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିହେବ । ଏହି ଆପ ଥରେ ଡାଉନଲୋଡ ହୋଇଗଲେ ତାହା ଚାଲିବା ପାଇଁ ଇଣ୍ଟରନେଟ ସଂଯୋଗ ଆବଶ୍ୟକ କରିବ ନାହିଁ । ଅର୍ଥାତ ଏହା ଅଫଲାଇନରେ ଚାଲିପାରିବ । ଲୋକମାନେ ମୋବାଇଲ ଆପକୁ ଓପନ କରିବା ପରେ ମୋବାଇଲର କ୍ୟାମେରା ମାଧ୍ୟମରେ ବ୍ୟାଙ୍କ ନୋଟକୁ ସ୍କାନକରି ନୋଟ ଚିହ୍ନିପାରିବେ । ଏହା ଉଭୟ ନୂଆ ଓ ପୁରୁଣା ମହାତ୍ମାଗାନ୍ଧି ସିରିଜ ନୋଟକୁ ଚିହ୍ନିବା ସହ ଅଡିଓ ନୋଟିଫିକେସନ ମାଧ୍ୟମରେ ସୂଚୀତ କରିପାରିବ । ତେବେ ନୋଟଟି ଅସଲି କିମ୍ବା ନକଲି ତାହା ଜାଣିବାର ବ୍ୟବସ୍ଥା ଏହି ଆପରେ ନାହିଁ ।