ସୁଧ ଅପରିବର୍ତ୍ତିତ ରଖିଲା ଆରବିଆଇ !

36

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି ସୁଧ ହାରକୁ ଅପରିବର୍ତ୍ତିତ ରଖିବା ନିଷ୍ପତ୍ତି ଗ୍ରହଣ କରିଛି । ରେପୋ ହାର ୬%ରେ ରହିଛି । ଏମପିସିର ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‌ ଦେଇଥିଲେ । ମାତ୍ର ଜଣେ ସଦସ୍ୟ ରେପୋ ହାର ୦.୨୫% ହ୍ରାସ ଘୋଷଣା କରିବାକୁ କହିଥିଲେ । ଅଗଷ୍ଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ଆର୍‌ବିଆଇ ପକ୍ଷରୁ ସୁଧ ହାରରେ ୦.୨୫%ର ହ୍ରାସ ଘୋଷଣା କରାଯାଇଛି ।

ରିଭର୍ସ ରିପୋ ହାର ୫.୭୫% ଏବଂ ବ୍ୟାଙ୍କ ହାର ୬.୨୫% ରହିଛି । ରେପୋ ହାର ଅପରିବର୍ତ୍ତିତ ରଖାଯାଇଥିବାରୁ ଗୃହ ଏବଂ ଗାଡ଼ି ଋଣ ଆଦି ଉପରେ ମାସିକ କିସ୍ତି (ଇଏମ୍‌ଆଇ) ପରିମାଣ କମିବ ନାହିଁ । ସାଧାରଣତଃ ଆର୍‌ବିଆଇ ସୁଧ ହାର କମାଇଲେ ଇଏମ୍‌ଆଇ କମ ହୋଇଥାଏ । ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ସମେତ ଡକ୍ଟର ଚେତନ ଘାଟେ, ଡକ୍ଟର ପମି ଦୁଆ, ଡକ୍ଟର ବିରଳ ଭି ଆଚାର୍ଯ୍ୟ ଏବଂ ମାଇକେଲ୍‌ ପାତ୍ର ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‌ ଦେଇଥିଲେ । ଆଇଆଇଏମ୍‌ର ପ୍ରଫେସର ଡକ୍ଟର ରବିନ୍ଦ୍ର ଏଚ୍‌ ଢ଼ୋଲକିଆ ସୁଧ ହାର ୦.୨୫% କମାଇବା ପାଇଁ ଭୋଟ୍‌ ଦେଇଥିଲେ ।

ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌, ଗ୍ରାହକ ଚିନ୍ତିତ –

ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଏବଂ ସୁଧାର ଆଣିବା ପାଇଁ ବିମୁଦ୍ରାକରଣ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ସରକାର ଆଗାମୀ ଦିନରେ ବ୍ୟାଙ୍କରେ ଥିବା ଲୋକମାନଙ୍କ ଟଙ୍କା ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଛି । ଖବରକୁ ଭାଇରାଲ୍‌ କରୁଥିବା ଲୋକମାନେ ସାଧାରଣ ଜନତା ଭୟଭୀତ ହୋଇଯିବା ଭଳି ଅନେକ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ସରକାର ପ୍ରସ୍ତୁତ କରିଥିବା ଏଫ୍‌ଆରଡିଆଇ ବିଲ୍‌ ୨୦୧୭କୁ ଭୁଲ ଭାବେ ତର୍ଜମା କରି ଏହି ସବୁ ତଥ୍ୟ ପ୍ରଦାନ କରାଯାଇଛି ।

ଏଥିରେ କୁହାଯାଇଛି ଯେ ଯଦି ବ୍ୟାଙ୍କ ବ୍ୟବସାୟିକ ଭାବେ ବିଫଳ ହେବ ତେବେ ସେଥିରେ ଯେତେ ଗ୍ରାହକ ଟଙ୍କା ଜମା ରଖିଥିଲେ ତାହା ବୁଡ଼ିବ । ଏହି ଖବରକୁ ନେଇ ସଞ୍ଚୟ ଜମାକାରୀମାନେ ଚିନ୍ତିତ ହୋଇପଡ଼ିଛନ୍ତି । ବ୍ୟାଙ୍କ ବୁଡ଼ିଯିବା ଭଳି ସ୍ଥିତିକୁ ଚାଲି ଆସିଲେ ତାହା ଜମାକାରୀଙ୍କ ଟଙ୍କାକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୂପେ ଋଣ ବୋଝ ହାଲୁକା କରିବା ପାଇଁ ବ୍ୟବହାର କରିପାରିବ । ଏଭଳି ଅନୁମତି ବ୍ୟାଙ୍କଗୁଡ଼ିକୁ ସରକାର ଏହି ବିଲ୍‌ ଜରିଆରେ ପ୍ରଦାନ କରିବେ । ଏହା ହେଲେ ଲୋକମାନେ ନିଜ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ପାରିବେ ନାହିଁ। ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ ନିୟମ, ୧୯୬୧ ଅନୁସାରେ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତର ଜମା ପାଇଁ ବୀମା ସୁବିଧା ରହିଛି । ଯଦି କୌଣସି ବ୍ୟାଙ୍କ ବୁଡ଼ିଯାଏ ଯେଉଁ ଗ୍ରାହକ ସେଥିରେ ଯେତେ ଟଙ୍କା ଜମା ରଖିଥାନ୍ତୁ ନା କାହିଁକି ତାଙ୍କୁ ଏହି ନିୟମ ଆଧାରରେ ମାତ୍ର ୧ ଲକ୍ଷ ଟଙ୍କା ହିଁ ମିଳିବ । ସରକାର ଏବେ ପ୍ରସ୍ତୁତ କରିଥିବା ଏଫ୍‌ଆରଡିଆଇ ନିୟମରେ ଏହି ସୁବିଧାକୁ ମଧ୍ୟ ଉଠାଇ ଦେଇଛନ୍ତି ବୋଲି ଚର୍ଚା ହେଉଛି ।