ଏନପିଏ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ଆରବିଆଇ !

37

ନନ୍‌ ପରଫରମିଙ୍ଗ ଆସେଟ୍‌ (ଏନପିଏ)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ଦିନରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଶିଳ୍ପ ଚାମ୍ବର ଆସୋଚାମ୍‌ ଆକଳନ କରିଛି । ବ୍ୟାଙ୍କଗୁଡ଼ିକର ୮ ଲକ୍ଷ କୋଟି ଟଙ୍କାର ଏନପିଏ ସମସ୍ୟାର ସମାଧାନ ୨୦୧୯ ମାର୍ଚ ସୁଦ୍ଧା କରାଯାଇପାରେ ବୋଲି ଆସୋଚାମ୍‌ ଏହାର ରିପୋର୍ଟରେ ଆକଳନ କରିଛି । ବ୍ୟାଙ୍କିଙ୍ଗ ନିୟମ (ସଂଶୋଧନ) ଅଧ୍ୟାଦେଶ ବଳରେ ଏନପିଏ ସମସ୍ୟାର ସମାଧାନ କରିବାକୁ ଆରବିଆଇକୁ ବଡ଼ ଶକ୍ତି ମିଳିଛି ।

ଏହା ବ୍ୟତୀତ ଇନସଲଭେନସି ଆଣ୍ଡ ବ୍ୟାଙ୍କରପସି କୋଡ୍‌ (ଆଇବିସି) ଆରବିଆଇର କାମକୁ ଅଧିକ ସହଜ କରିପାରିବ । ସମସ୍ତ ଏନପିଏକୁ ବ୍ୟାଙ୍କରପସି କୋଡ୍‌ ଜରିଆରେ ସମାଧାନ କରାଯାଇପାରେ । ମାତ୍ର ତାହାର ସୁଫଳ କେତେ ଶୀଘ୍ର ମିଳିବ ଏବଂ ସମସ୍ୟା ଗୁଡ଼ିକର ସମାଧାନ କେତେ ଶୀଘ୍ର ହେବ ତାହା ଏବେ ଠାରୁ କହି ହେବ ନାହିଁ ବୋଲି ଆସୋଚାମ୍‌ କହିଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ବିଗାଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏନପିଏ ।

ବିପୁଳ ପରିମାଣର ଏନପିଏ ଯୋଗୁଁ ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌ ସ୍ୱଚ୍ଛ ହୋଇପାରୁନାହିଁ । ୨୦୧୬-୧୭ରେ ୨୭ଟି ସରକାରୀ ବ୍ୟାଙ୍କଗୁଡ଼ିକର ମିଳିତ ଲାଭ ପରିମାଣ ୧.୫ ଲକ୍ଷ କୋଟି ଟଙ୍କା ଥିଲା । ମାତ୍ର ଏନପିଏ ସମସ୍ୟା ସମାଧାନ କରିବା ପରେ ସେମାନଙ୍କ ନିଟ୍‌ ଲାଭ ପରିମାଣ ମାତ୍ର ୫୭୪ କୋଟି ଟଙ୍କା ହୋଇଥିଲା ।ଏନପିଏ ପରିମାଣ ଉଚ୍ଚ ସ୍ତରରେ ରହିଥିବାରୁ ବ୍ୟାଙ୍କ ଗୁଡ଼ିକ କର୍ପୋରେଟ୍‌ ଋଣ ପ୍ରଦାନ କରିବାକୁ ଚାହୁଁନାହାନ୍ତି ।

ଫଳରେ ଘରୋଇ ପୁଞ୍ଜିନିବେଶ ପରିବେଶ ପ୍ରଭାବିତ ହୋଇଛି ବୋଲି ଆସୋଚାମ୍‌ ଏହାର ରିପୋର୍ଟରେ କହିଛି ।
ବ୍ୟାଙ୍କରପସି କୋଡ୍‌ ଆସିନଥିବା ପୂର୍ବରୁ ଏନପିଏ ସମସ୍ୟାକୁ ସେଟଲମେଣ୍ଟ୍‌ ସ୍କିମ୍‌ ଜରିଆରେ ସମାଧାନ କରିବାକୁ ବ୍ୟାଙ୍କଗୁଡ଼ିକ ସାହସ ଜୁଟାଇ ପାରୁନଥିଲେ । ସେମାନଙ୍କର ବଡ଼ ଭୟ ଥିଲା ସିବିଆଇ, ସିଏଜି ଏବଂ ସିଭିସିକୁ । ତେବେ ନିକଟରେ ଜାରି ହୋଇଥିବା ଅଧ୍ୟାଦେଶ ବଳରେ ଆରବିଆଇ ଦେଶର ପ୍ରମୁଖ ୧୨ଟି ଏନପିଏ ମାମଲାର ସମାଧାନ କରିବା ପ୍ରକ୍ରିୟା ଆରମ୍ଭ କରିଛି ।