ପାଂଚ ହଜାର ଟପିଲେ ପ୍ରଶ୍ନ ! ଆକାଉଂଟରେ ଜମା ପାଇଁ ଆରବିଆଇ ବଦଳାଇଲା ନିୟମ

23

କନକ ବ୍ୟୁରୋ : ଅଚଳ ନୋଟ୍ ଜମା ଉପରେ ଆରବିଆଇର ନୂଆ କଟକଣା । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ କରିବାରେ ଅତିରିକ୍ତ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଡିସେମ୍ବର ୩୦ମଧ୍ୟରେ ୫ହଜାରରୁ ଅଧିକ ଅଚଳ ନୋଟ୍ ଗୋଟିଏ ଆକାଉଂଟରେ କେବଳ ଥରଟିଏ ଜମା କରିହେବ ବୋଲି ଆରବିଆଇ ନିୟମ କରିଛି ।

ଏହା ସହ ବ୍ୟାଙ୍କ ଅଧିକାରୀଙ୍କୁ କାହିଁକି ବର୍ତମାନ ସୁଦ୍ଧା ଏହି ଅଚଳ ଟଙ୍କା ଜମା ହୋଇନଥିଲା ତାହା ସନ୍ତୋଷଜନକ ଉତର ଦେବାକୁ ପଡିବ । ଏହି ତଥ୍ୟକୁ ବ୍ୟାଙ୍କ ଅଡିଟ୍ ପାଇଁ ଲିପିବଦ୍ଧ କରି ରଖିବ । ଅନ୍ୟପଟେ ଅଧିକ ଅଘୋଷିତ କଳାଧନକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜମା କରାଯାଇପାରିବ ଏବଂ ଏହାର ୫୦ ଭାଗ ଜରିମାନା ଓ କର ଆକାରରେ କାଟିନିଆଯିବ ।

୨୫ ଭାଗ ଅର୍ଥ ୪ ବର୍ଷର ଲକିଂ ସମୟ ଅବଧି ମଧ୍ୟରେ ଜମାରହିବାର ନିୟମ ରହିଛି । ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଅଚଳ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ବ୍ୟାଙ୍କ ଆକାଉଂଟରେ ଜମା କରିବାକୁ ଡିସେମ୍ବର ୩୦ ଯାଏଁ ୫୦ଦିନିଆ ମହଲତ ଦେଇଥିଲେ କେନ୍ଦ୍ର ସରକାର  । କଳାଧନ ଜମାକାରୀ ବ୍ୟାଙ୍କ ଆକାଉଂଟ ଜରିଆରେ ଅଘୋଷିତ ଟଙ୍କାକୁ ଧଳା କରୁଥିବା ବେଳେ ଏଥିରେ ରୋକ୍ ଲଗାଇବା ପାଇଁ ଆରବିଆଇ ଏହି ନୂଆ ନିୟମ ଜାରି କରିଛି  ।