ବିମୁଦ୍ରାକରଣକୁ ନେଇ ଆରବିଆଇର ନୂଆ ଗାଇଡ ଲାଇନ୍ : ନୂଆ ନୋଟ୍ କ୍ଷେତ୍ରରେ ଲାଗୁ ହେବନି ନିୟମ

19

କନକ ବ୍ୟୁରୋ : ଅଚଳ ନୋଟ୍ ଜମା ଉପରେ ଆରବିଆଇର ନୂଆ କଟକଣା । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଜମା କରିବାରେ ଅତିରିକ୍ତ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଡିସେମ୍ବର ୩୦ମଧ୍ୟରେ ୫ହଜାରରୁ ଅଧିକ ଅଚଳ ନୋଟ୍ ଗୋଟିଏ ଆକାଉଂଟରେ କେବଳ ଥରଟିଏ ଜମା କରିହେବ ବୋଲି ଆରବିଆଇ ନିୟମ କରିଛି । ତେବେ କେୱାଇସି ନଥିଲେ ସର୍ବାଧିକ ୫୦ହଜାର ପର୍ଯ୍ୟନ୍ତ ଅଚଳ ନୋଟ୍ ଜମା କରିପାରିବେ ।

କେୱାଇସି ଅପଡେଟ୍ କରିବା ପାଇଁ ପାନ୍ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ଫଳରେ ଏତେ ଦିନ ଧରି କଳା ଟଙ୍କା ମହଜୁଦ୍ କରି ରଖିଥିବା ବ୍ୟକ୍ତି ଆୟକର ବିଭାଗର ସ୍କାନରରେ ଆସିପାରିବେ ବୋଲି ଅନୁମାନ କରାଯାଉଛି ।

ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ଘୋଷଣା କରିବା ସହ ଅଚଳ ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ବ୍ୟାଙ୍କ ଆକାଉଂଟରେ ଜମା କରିବା ପାଇଁ ଡିସେମ୍ବର ୩୦ତାରିଖ ଯାଏଁ ୫୦ଦିନିଆ ମହଲତ ଦେଇଥିଲେ କେନ୍ଦ୍ର ସରକାର । କଳାଧନ ଜମାକାରୀ ବ୍ୟାଙ୍କ ଆକାଉଂଟ ଜରିଆରେ ଅଘୋଷିତ ଟଙ୍କାକୁ ଧଳା କରୁଥିବା ବେଳେ ଏଥିରେ ରୋକ୍ ଲଗାଇବା ପାଇଁ ଆରବିଆଇ ଏହି ନିଷ୍ପତି ନେଇଛି ।