ଆରବିଆଇର ସ୍ପଷ୍ଟିକରଣ ! ନୂଆ ୫୦୦ ଟଙ୍କିଆ ନୋଟ୍‌ ଓଡିଶାରେ ପହଂଚିବାକୁ ଲାଗିବ କିଛି ସମୟ

32

କନକ ବ୍ୟୁରୋ : ନାସିକ୍‌ ପ୍ରେସ୍‌ରୁ ନୂଆ ୫୦୦ ଟଙ୍କିଆ ନୋଟ୍‌ ଆରବିଆଇ ପାଖକୁ ପଠାଇ ଦିଆଯାଇଛି । ତେବେ ଏହି ନୋଟ୍‌ ଭୁବନେଶ୍ୱରରେ ଦିନେ ଦୁଇ ଦିନ ଭିତରେ ପହଞ୍ଚିବାର କମ ସମ୍ଭାବନା ରହିଛି । କାରଣ ନୋଟ୍‌ଗୁଡ଼ିକ ମୁମ୍ବାଇସ୍ଥିତ ଆରବିଆଇ କାର୍ଯ୍ୟାଳୟରୁ ବିଭିନ୍ନ ସ୍ଥାନକୁ ପଠାଯିବ ।

ଆରବିଆଇର ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ ନୋଟ୍‌ଗୁଡ଼ିକୁ ଆରବିଆଇ ପକ୍ଷରୁ ଟ୍ରେନ୍‌ କିମ୍ବା ସ୍ୱତନ୍ତ୍ର ଯାନ ଜରିଆରେ ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯିବ ।

ଯଦି ସେହି ଉପାୟରେ ଓଡ଼ିଶାକୁ ଟଙ୍କା ପଠାଯିବ ତେବେ ଦିନେ ଦୁଇ ଦିନ ଭିତରେ ତାହା ପହଞ୍ଚିବ ନାହିଁ । ଦୁର୍ଗମ ଅଞ୍ଚଳଗୁଡ଼ିକୁ ଆରବିଆଇ ପକ୍ଷରୁ ଟଙ୍କାକୁ ଏୟାରଲିଫ୍ଟ କରାଯାଇଥାଏ, ଅର୍ଥାତ ବିମାନ ଜରିଆରେ ଟଙ୍କା ପଠାଯାଇଥାଏ ।

ଏହି ବ୍ୟବସ୍ଥାରେ ଯଦି ଟଙ୍କା ପଠାଯିବ ତେବେ ଓଡ଼ିଶାରେ ନୂଆ ୫୦୦ ଟଙ୍କିଆ ନୋଟ୍‌ ଶୀଘ୍ର ପହଞ୍ଚିପାରିବ । କିନ୍ତୁ ଏହାର ବହୁତ କମ ସମ୍ଭାବନା ରହିଛି ।