ଆଜି ଆରବିଆଇ-କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ହସ୍ତକ୍ଷେପ ବିବାଦ ପରେ ପ୍ରଥମ ଥର ଏକାଠି ହୋଇପାରନ୍ତି ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ

ଉର୍ଜିିତ ପଟେଲଂକ ଉପରେ ରହିବ ନଜର

105

କନକ ବ୍ୟୁରୋ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଂକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁୂଛି । କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ମତଭେଦ ପରେ ଏହା ହେଉଛି ପ୍ରଥମ ବୈଠକ । ତେଣୁ ବୈଠକ ଉପରେ ନଜର ଅଟକିଛି । ଏହାସହ ଏହି ବୈଠକରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଂକ ଭାଗ୍ୟ ନିର୍ଦ୍ଧାଣ ହେବ ବୋଲି କୁହାଯାଉଛି । ଉର୍ଜିତ ନିଜ ପଦରେ ରହି କାର୍ଯ୍ୟ ତୁଲାଇବେ ନା ବିଦା ହେବେ ଏହି ବୈଠକ ପରେ ଏକ ପ୍ରକାର ସ୍ପଷ୍ଟ ହେବ । ଗତମାସରେ ରିଜର୍ଭ ବ୍ୟାଂକର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କେନ୍ଦ୍ର ସରକାର ଆରବିଆଇ କାମରେ ହସ୍ତକ୍ଷେପ କରୁଥିବା କଥା ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ଉଲ୍ଲେଖଯୋଗ୍ୟ, ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ବିବାଦର ରେଖା ସମ୍ପୂର୍ଣ୍ଣ ସ୍ପଷ୍ଟ। ସରକାର ଚାହୁଁଛନ୍ତି ରିଜର୍ଭ ବ୍ୟାଙ୍କ ଋଣ ନୀତିକୁ ସହଜ କରୁ ଯଦ୍ବାରା ସୁବିଧାରେ ଋଣ ମିଳିପାରିବ। ରିଜର୍ଭ ବ୍ୟାଙ୍କ କହୁଛି ଯେ ଜାଣିଶୁଣି ସରକାର ଆମ କାମରେ ହସ୍ତକ୍ଷେପ କରୁଛନ୍ତି। ଏହି ବିବାଦରେ ରିଜର୍ଭ ବ୍ୟାଙ୍କକୁ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ସମସ୍ତ ବିରୋଧୀ ଦଳ ସମର୍ଥନ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ବୋର୍ଡରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରଙ୍କ ବ୍ୟତୀତ

ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ବୋର୍ଡରେ ମୋଟ ୧୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟବର୍ତି କୁହାଯାଉଥିବା ଚାରି ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ନାମ ହେଉଛି ଏସ୍ ଗୁରୁମୂର୍ତ୍ତି, ସତୀଶ ମରାଠେ, ରେବତୀ ଆୟାର ଓ ସଚିନ୍ ଚତୁର୍ବେଦୀ। ସରକାର ଯେଉଁମାନଙ୍କୁ ମନୋନୀତ କରିଛନ୍ତି ସେମାନଙ୍କ ଜରିଆରେ କାମ ହାସଲ କରିବାକୁ ସରକାର ପ୍ରୟାସ କରିବେ। ସେମାନେ ବୋର୍ଡ ଉପରେ ଚାପ ପକାଇବା କାମ କରିବେ। ଏଭଳି କିଛି ଯୋଜନା ସରକାର ପ୍ରସ୍ତୁ୍ତ କରିଥିବା କୁହାଯାଉଛି। ରିଜର୍ଭ ବ୍ୟାଙ୍କ ଭଣ୍ଡାରକୁ ସରକାରଙ୍କ ପାଇଁ ଖୋଲିବା, ୧୧ଟି ବ୍ୟାଙ୍କ ଉପରେ ଋଣ ଆବଣ୍ଟନ ନକରିପାରିବା ନେଇ ଯେଉଁ କଟକଣା ଲଗାଯାଇଛି ତାହା ହଟାଇବା ଓ ସୁଧ ହାରରେ ହ୍ରାସ କରିବା ପାଇଁ ଏହି ଚାରି ସଦସ୍ୟ ବୋର୍ଡ ଉପରେ ଚାପ ପକାଇବେ।