ବ୍ୟାଙ୍କ ଆକାଉଂଟ୍ ପୋର୍ଟେବିଲିଟି କାର୍ଯ୍ୟକାରୀ କରିବାକୁ କହିଲା ଆରବିଆଇ

50

କନକ ବ୍ୟୁରୋ: ଗ୍ରାହକଙ୍କ ପାଇଁ ବ୍ୟାଙ୍କ ନମ୍ବର ପୋର୍ଟେବିଲିଟିକୁ କାର୍ଯ୍ୟକାରୀ କରିବା ପାଇଁ ଗତକାଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି । ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ଏବଂ ଗ୍ରାହକ ସେବା ମାନରେ ଉନ୍ନତି ଆଣିବାରେ ବ୍ୟାଙ୍କ ଆକାଉଂଟ୍ ନମ୍ବର ପୋର୍ଟେବିଲିଟି ବଡ଼ଧରଣର ପ୍ରଭାବ ପକାଇବ । ତେଣୁ ଏଦିଗରେ କାର୍ଯ୍ୟ ଆରମ୍ଭ କରିବା ଲାଗି ବ୍ୟାଙ୍କ ଲୋକପାଳମାନଙ୍କ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଡେପୁଟି ଗଭର୍ଣ୍ଣର ଏସ. ଏସ. ମୁନ୍ଦ୍ରା ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି ।

ନୂଆ ପିଢ଼ିର ଗ୍ରାହକମାନେ ପ୍ରଯୁକ୍ତି ବ୍ୟବହାର କରିବାରେ ଯଥେଷ୍ଟ ଆଗ୍ରହ ଦେଖାଉଛନ୍ତି । ତେଣୁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କୁ ଅଧିକ ପସନ୍ଦ ବା ବିକଳ୍ପ ଯୋଗାଇ ଦେବାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ଜଣେ ଗ୍ରାହକ ଗୋଟିଏ ବ୍ୟାଙ୍କର ସେବାରେ ଅସନ୍ତୁଷ୍ଟ ହେଲେ ସେ ଅନ୍ୟ ଏକ ବ୍ୟାଙ୍କକୁ ଆରାମରେ ଯାଇପାରିବେ ବୋଲି ମୁନ୍ଦ୍ରାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି । ଏତଦ୍ ବ୍ୟତୀତ ଡ୍ରପ୍ ବାକ୍ସରୁ ଚେକ୍ ହଜିବା ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ରୀ ମୁନ୍ଦ୍ରା ଉଦବେଗ ପ୍ରକାଶ କରିଛନ୍ତି ।