ଆସୁଛି ୧୦ ଟଙ୍କିଆ ନୂଆ ନୋଟ୍ ! ନୋଟରେ ହେବ ବିଭିନ୍ନ ପରିବର୍ତ୍ତନ

36

୫୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ଜାରି କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବେ ୧୦ ଟଙ୍କିଆ ନୂଆ ନୋଟ୍ ଆଣୁଛି । ଏହି ନୋଟ ବର୍ତ୍ତମାନ ପ୍ରଚଳିତ ନୋଟ୍ ଠାରୁ ହେବ ବିଲକୁଲ ଅଲଗା । ସୂଚନ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ୧୦ ଟଙ୍କିଆ ୧ ବିଲିୟନ୍ ନୂଆ ନୋଟ୍ ପ୍ରିଣ୍ଟ କରିଛନ୍ତି । ଏବେ ଖୁବ୍ ଶୀଘ୍ର ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚିବ ନୂଆ ୧୦ ଟଙ୍କିଆ ନୋଟ୍ । ଏକ ରିପୋର୍ଟ ଅନୁସାରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ୧୦ ଟଙ୍କିଆ ନୂଆ ନୋଟ୍ ମହାତ୍ମା ଗାନ୍ଧୀ ସିରିଜ ଅନୁସାରେ ଛପା ଯାଉଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ପ୍ରଚଳିତ ହେଉଥିବା ୧୦ ଟଙ୍କିଆ ନୋଟ୍ ଓ ନୂଆ ନୋଟ୍ର ରଙ୍ଗରେ ବହୁତ ଅନ୍ତର ରହିବ । ନୂଆ ନୋଟର ବେସ୍ ଚକୋଲେଟ୍ ବ୍ରାଉନ ରଙ୍ଗର ହେବ । ସୂଚନାଯୋଗ୍ୟ ଏହା ପୂର୍ବରୁ ୧୦ ଟଙ୍କିିଆ ନୋଟର ଡ଼ିଜାଇନ୍ ୨୦୦୫ରେ ପରିବର୍ତ୍ତନ ହୋଇଥିଲା । ତା’ପର ଠାରୁ ଏବେ ହେଉଛି ପରିବର୍ତ୍ତନ ।

ରିିପୋର୍ଟ ଅନୁସାରେ ନକଲି ନୋଟ୍ ଉପରେ ଲଗାମ ଲଗାଇବା ପାଇଁ ଓ କ୍ୟାସଲେସ ଅର୍ଥନୀତିକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ୨୦୧୬ ୮ ନଭେମ୍ବରରେ ମୋଦି ବିମୁଦ୍ରକାରଣ ନିଷ୍ପତ୍ତି ନେଇଥିଲେ । ଆଉ ସେହି ସମୟରେ ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ଆଉ ସେବେଠାରୁ ମୋଦି ସରକାର ନକଲି ନୋଟ୍ ବିରୋଧରେ ଅଭିଯାନ ଆରମ୍ଭ କରୁଛନ୍ତି । ଆଉ ନିୟମିତ ବ୍ୟବଧାନରେ କିଛି ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ।

ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ପରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ଜାରି କଲା ଆରବିଆଇ । ଏହା ବ୍ୟତୀତ ଆରବିଆଇ ୫୦ ଓ ୨୦୦ ଟଙ୍କିଆ ନୂଆ ନୋଟ୍ ମଧ୍ୟ ଜାରି କରିଛି । ଏସବୁ ପରେ ଆରବିଆଇ ୧୦ ଟଙ୍କିଆ ନୋଟକୁ ବି ନୂଆ ରୂପରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ଦେଖିବା ପାଇଁ ପଡ଼ିବ ଆପଣଙ୍କ ପାଖରେ ଏହି ୧୦ ଟଙ୍କିଆ ନୂଆ ନୋଟ୍ କେବେ ପର୍ଯ୍ୟନ୍ତ ଆସୁଛି । ନୂଆ ନୋଟ୍ ଆସିବା ପରେ ପୁରୁଣା ନୋଟ୍ କାରବାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଅଚଳ ହେବନି ପୁରୁଣା ୧୦ ଟଙ୍କିଆ ନୋଟ୍ ।