ଗଜପତି ରାୟଗଡା ବ୍ଲକ ‘ବାର ଘର’ ଗାଁରେ ପହଂଚିବାକୁ ପ୍ରଶାସନ ନାକେଦମ୍ : ୭ ଘଂଟାର ଅପରେସନ ପରେ ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍

52

କନକ ବ୍ୟୁରୋ : ବାତ୍ୟା ତିତଲି ପ୍ରଭାବରେ ଗଜପତିର ଗଙ୍ଗାବାଡରେ ୧୨ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ଅନୁସନ୍ଧାନ କରିବାକୁ ବାହାରିଥିଲା କନକ ନ୍ୟୁଜ ଟିମ୍ । ଅଗ୍ନିଶମ ବିଭାଗର ଏକ ଟିମ ପଛେପଛେ ବାହାରିଥିଲେ ଆମ ପ୍ରତିନିଧି । ରାସ୍ତାରେ ବଡବଡ ଗଛ ସବୁ ପଡି ରହିଥିବାରୁ ଆନ୍ଧ୍ରର ମନ୍ଦୁସା ଦେଇ ରାୟଗଡ ବ୍ଲକରେ ପହଂଚିବା ସମ୍ଭବ ଥିଲା । ଆଉ ସେହି ରାସ୍ତାଦେଇ ଯାଉଥିବା ଉଦ୍ଧାରକାରୀ ଦଳକୁ ଫଲୋ କରିଥିଲେ କନକ ନ୍ୟୁଜ ଟିମ୍ ।

ତିତଲି ପ୍ରଭାବରେ ମହେନ୍ଦ୍ରଗିରି ପାହାଡର ଏକ ଗୁମ୍ଫାରେ ଆଶ୍ରୟ ନେଇଥିବା ୯ଜଣ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ରାୟଗଡ ବ୍ଲକ ଅଧ୍ୟକ୍ଷଙ୍କଠାରୁ ସୂଚନା ପାଇ ସେହି ଅଭିମୁଖେ ବାହାରିଥିଲା ଜିଲ୍ଲା ପ୍ରାଶାସନର ଟିମ୍ । ଯେତେ ଯେତେ ଆଗକୁ ବଢୁଥିଲେ ଆମ କନକ ନ୍ୟୁଜ ଟିମ୍ , ସେତେ ସେତେ ଅନୁଭବ ହେଉଥିଲା ତିତଲିର ତାଣ୍ଡବ । ରାସ୍ତାସାରା ପଡିରହିଥିବା ବିରାଟ ଗଛର ଗଣ୍ଡିକୁ କାଟିବା ପରେ ଜେସିବି ସାହାଯ୍ୟରେ ରାସ୍ତା ଖାଲି କରାଗଲା ।

କିଛି ବାଟ ପକ୍କା ରାସ୍ତାରେ ଗଲାପରେ ଆଗକୁ କଚ୍ଚା ରାସ୍ତାରେ ଗାଡି ଗଡିବା ବି ଥିଲା ମୁସ୍କିଲ । କିଭଳି ରାସ୍ତାରେ କାଠ ପକାଇ ସମାନ କରିବା ପରେ ଉଦ୍ଧାରକାରୀ ଦଳର ଏହି ଗାଡି ଗଡିବା ସମ୍ଭବ ହୋଇଥିଲା ।

ଗଜପତି ହେଡକ୍ୱାଟର ପାରଳାଖେମୁଣ୍ଡିରୁ ରାୟଗଡ ବ୍ଲକ ଗଙ୍ଗାବାଡ ଯିବାକୁ ସବୁ ସର୍ଟକର୍ଟ ରାସ୍ତା ବନ୍ଦ ହୋଇଯାଇଥିବାରୁ ପ୍ରାୟ ୭୦ କିଲୋମିଟର ଦେଇ ୭ ଘଂଟାର ଯାତ୍ରା ପରେ ଆମ ଟିମ୍ ପହଂଚିଥିଲା ମହେନ୍ଦ୍ରଗିରି ପାଦଦେଶରେ । ଆଉ ଏଠାରେ ହିଁ ମୃତଦେହ ସବୁ ଦେଖିବାକୁ ମିଳିବା ଆରମ୍ଭ କଲା । ପାହାଡରୁ ଅତଡା ଖସିବା ସହ ଏତେ ପ୍ରଖର ବେଗରେ ପାଣି ବହିଥିଲା ଯେ, ଦୀର୍ଘ କିଲୋମିଟର ଯାଏଁ ଛିଟିକି ପଡିଥିଲା ମୃତଦେହ ।

ସ୍ଥାନୀୟ ଲୋକଙ୍କ କହିବା ହେଲା ତିତଲି ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ଲୋକଙ୍କ ଘରେ ପାଣି ପଶିଯିବାରୁ ୫ଟି ପରିବାରର ପ୍ରାୟ ୧୬ ଜଣ ମହେନ୍ଦ୍ରଗିରି ପାହାଡର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ପାହାଡ ପାଦଦେଶରୁ ପ୍ରାୟ ୧୧ କିଲୋମିଟର ଉପରେ ଏମାନେ ଥିବାବେଳେ ବାତ୍ୟା ପ୍ରଭାବରେ ଧସିଯାଇଥିଲା ପାହାଡ । ଫଳରେ ୧୨ ଜଣଙ୍କ ମୃତ୍ୟୁ ହେବାସହ ୪ଜଣ ନିଖୋଜ ଥିବା କୁହାଯାଉଛି ।

ବାତ୍ୟା ପ୍ରଭାବରେ ପାହାଡ ଏପରି ଧସିଥିଲା ଯେ, ଦୀର୍ଘ ୨୦ କିଲୋମିଟର ଯାଏଁ ପଥରଖଣ୍ଡ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ଏପରିକି କେତେକ ମୃତଦେହ ମଧ୍ୟ ଅନେକ ବାଟ ଛିଟିକି ପଡିଛି ।