ପଛୁଆ ଜିଲ୍ଲାର ଆଗୁଆ ପିଲା ! ଜେଇଇ ଆଦିବାସୀ ଭିନ୍ନକ୍ଷମ ବର୍ଗରେ ରାୟଗଡାର ପ୍ରଦୀପ ପ୍ରଥମ

30

କନକ ବ୍ୟୁରୋ : ପଛୁଆ ଜିଲ୍ଲାର ଆଗୁଆ ପିଲା । ଆଡଭାନ୍ସ ଜେଇଇ ପ୍ରବେଶିକା ପରୀକ୍ଷା ଆଦିବାସୀ ଭିନ୍ନକ୍ଷମ ବର୍ଗରେ ରାୟଗଡାର ପ୍ରଦୀପ ହିମିରିକା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଏବଂ ଆଦିବାସୀ ବର୍ଗରେ ତୃତୀୟ ସ୍ଥାନ ପାଇଛନ୍ତି । ଖଡ଼ଗପୁର ଆଇଆଇଟିରେ ନାମ ଲେଖାଇବାକୁ ଇଚ୍ଛା ରଖିଥିବା ପ୍ରଦୀପ ଭବିଷ୍ୟତରେ ବୈଜ୍ଞାନିକ କିମ୍ବା ଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

କଲ୍ୟାଣସିଂହପୁର ବ୍ଲକ୍‌ ପୋଲମା ପଞ୍ଚାୟତ ଆଡ଼ୁଗୁଡ଼ା ଗାଁର ବାପା ସାଲୁପୁ ହିମିରିକା ଓ ମା କାଣ୍ଟେ ହିମିରିକାଙ୍କ ପୁଅ ପ୍ରଦୀପ ବିଷମକଟକ ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ୧୦ମ ଯାଏଁ ପଢ଼ିଥିଲେ । ପରେ ଦକ୍ଷିଣା ଫାଉଣ୍ଡେସନ ସହାୟତାରେ କେରଳର କୋଟାୟମ ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ି ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀରେ ୯୧.୮ ପ୍ରତିଶତ ନମ୍ବର ରଖିଛନ୍ତି । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଉଚ୍ଚ ଶିକ୍ଷା ନିମନ୍ତେ ଚିନ୍ତାରେ ଥିବା ପ୍ରଦୀପଙ୍କୁ ଆଇଆଇଟି ପଢ଼ିବା ନିମନ୍ତେ ରାୟଗଡ଼ାସ୍ଥିତ ହୋଟେଲ କପିଳାସର ମାଲିକ ଉମା ଚରଣ ବେହେରା ଏବଂ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ବେହେରା ସହାୟତା କରିବାକୁ ସମ୍ମତି ଜଣାଇଛନ୍ତି । ପ୍ରଦୀପଙ୍କ ବଡ଼ ଭାଇ ଦିଲ୍ଲୀପ ହିମିରିକା ମଧ୍ୟ ଜେଇଇ ପ୍ରବେଶିକା ପରୀକ୍ଷାରେ ୧୨୮୯ତମ ସ୍ଥାନ ହାସଲ କରିଛନ୍ତି।