ପୁଣି ସାମ୍ନାକୁ ଆସିଲା ଜଣେ ଅସହାୟ ମହିଳାଙ୍କ ଚିତ୍ର ! ବାଉଁଶ ଭେଳାରେ ନଦୀ ପାରି ହେଲେ ଗର୍ଭବତୀ

47

କନକ ବ୍ୟୁରୋ : ଏହି ଗୋଟିଏ ଘଟଣା ବୟାନ କରୁଛି ଉପାନ୍ତ ଅଂଚଳରେ କେମିତି ଚାଲିଛି ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ବନ୍ୟା ବିପନ୍ନଙ୍କ ଦୁଃସ୍ଥିତି । କଲ୍ୟାଣୀ ନଦୀରେ ବନ୍ୟା ଆସିଥିବାବେଳେ ଏଭଳି ବିପଦପୂର୍ଣ୍ଣ ଭାବରେ ନଦୀ ପାର ହେଉଛନ୍ତି ଜଣେ ଗର୍ଭବତୀ ମହିଳା । କଲ୍ୟାଣସିଂପୁର ପୁରୁଣାଭଟ୍ଟା ଗାଁର ଏହି ମହିଳା ଆମାଲୁ ୱାଡାକା । ପ୍ରସବ ଯନ୍ତ୍ରଣା ସହିନପାରିବାରୁ ଗାଁ ଲୋକେ ବାଉଁଶରେ ଭେଳା କରି ଏହିଭଳି କଲ୍ୟାଣୀ ନଦୀ ପାର କରାଇଥିଲେ । ପ୍ରାୟ ୬ଟି ପଂଚାୟତକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ ଭାସିଯିବା ପରେ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ଏହି ଏକମାତ୍ର ବାଟ ।

ଖଟିଆରେ ଭାରା କରି କଲ୍ୟାଣୀ ନଦୀ ପର୍ଯ୍ୟନ୍ତ ଆଣିଥିଲେ ସଂପର୍କୀୟ । ଆଉ ନଈ ଆରପଟେ ଅପେକ୍ଷା କରିଥିଲା ଆମ୍ବୁଲାନ୍ସ । ସମୟ ଗଡିବା ସହ ବେଦନା ବଢିବାରୁ ଶେଷରେ ବନ୍ଧାଯାଇଥିଲା ବାଉଁଶ ଭେଳା । ଅକାତକାତ ପାଣି ଭିତରେ ଗର୍ଭବତୀଙ୍କୁ ଭେଳାରେ ଶୁଆଇ ନଦୀ ପାର ହୋଇଥିଲେ ସ୍ଥାନୀୟ ଆଶାକର୍ମୀ । ୨୦୦ ମିଟର ବଢିନଈ ପାର ହୋଇ ଆରପଟେ ପହଂଚିବା ପରେ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଯେଉଁଠି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ମହିଳାଜଣକ । ହେଲେ ଏଭଳି ଅଭାବନୀୟ ଚିତ୍ର ପ୍ରଶାସନ ଓ ସରକାରଙ୍କ ମାଳମାଳ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କ ଜିରୋ କାଜୁଆଲିଟି ଉଦ୍ୟମ ପ୍ରଶଂସାଯୋଗ୍ୟ । ହେଲେ କଲ୍ୟାଣୀ ନଦୀର ଏ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଅନେକ ପ୍ରଶ୍ନବାଚୀ ଛିଡା କରିଛି ।