ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିବ କି ସେନା ? କ୍ୟାମ୍ପ ଉପରେ ଆତଙ୍କୀ ହମଲା ପରେ ସେନାମୁଖ୍ୟଙ୍କ ଚେତାବନୀ, କହିଲେ ପରିଣାମ ଭୋଗିବ ପାକ୍ ।

35

କନକ ବ୍ୟୁରୋ : ପାକିସ୍ତାନ ଉପରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ ନେଇ ଇସାରା ଦେଇଛନ୍ତି ସେନା ମୁଖ୍ୟ । ସିଆଇଏସଏଫ୍ କ୍ୟାମ୍ପ ଉପରେ ଆତଙ୍କୀ ହମଲା ପରେ ପାକିସ୍ତାନକୁ କଡା ଚେତାବନୀ ଦେଇ ଜେନେରାଲ ବିପିନ୍ ରାୱତ କହିଛନ୍ତି ଯେ, ଅନୁପ୍ରବେଶରେ ଅଙ୍କୁଶ ନଲଗାଇଲେ ପରିଣାମ ଭୋଗିବ ପାକିସ୍ତାନ । ସେପଟେ  ପାକିସ୍ତାନ, ସିରିଆଠାରୁ ମଧ୍ୟ ଅଧିକ ବିପଦଜନକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଷ୍ଟ୍ରାଟେଜିକ ଫୋର୍ସାଇଟ ଗ୍ରୁପର ମିଳିତ ପ୍ରୟାସରେ ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି ।

ପୁଣିଥରେ ହେବ କି ସର୍ଜିକାଲ ଷ୍ଟ୍ରାଇକ୍ ? ପୁଣିଥରେ ପାକିସ୍ତାନକୁ ତାରି ଭାଷାରେ ଭାରତ ଦେବ କି ଜବାବ୍ ? ଜେନେରାଲ ବିପିନ୍ ରାୱତଙ୍କ କଥାରୁ ସର୍ଜିକାଲ ହମଲାର ପୁଣି ଏକ ଇସାରା ମିଳିଛି । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ କେତେ ଦୂର ପ୍ରସ୍ତୁତ ତାହା ଚର୍ଚ୍ଚା ସୃଷ୍ଟି କରିଛି । ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପୂର୍ବରୁ କହିସାରିଛନ୍ତି ଯେ ଭାରତ ପାଇଁ ପାକିସ୍ତାନ ସବୁବେଳେ ଏକ ନିର୍ବାଚନୀ ପ୍ରସଙ୍ଗ । ତେଣୁ ନିର୍ବାଚନ ପରେ ହିଁ ସେ ଶାନ୍ତିବାର୍ତ୍ତା ପାଇଁ ପୁଣି ଭାରତକୁ ଅନୁରୋଧ କରିବେ ।

ଜମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କ ଉପରେ ଗ୍ରେନେଡ ଆକ୍ରମଣ ହେବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ । ସେ କହିଛନ୍ତି ଏହାର ପରିଣାମ ଭୋଗିବ ପାକିସ୍ତାନ । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ନୌଗାମର ୱାଗୁରାରେ ପାୱାର ଗ୍ରୀଡକୁ ସୁରକ୍ଷା ଦେଉଥିବା ସିଆଇଏସଏଫ ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଛନ୍ତି ଆତଙ୍କବାଦୀ । ବୁଧବାର ୭ଜଣ ଆତଙ୍କବାଦୀଙ୍କୁ ସେନା ଏନକାଉଁଟର କରି ନିପାତ କରିବା ପରେ ଆକ୍ରମଣାତ୍ମକ ମୁଡରେ ଅଛନ୍ତି ଆତଙ୍କୀ ସଂଗଠନ । ଗୁରୁବାର ତ୍ରାଲ ସେକ୍ଟରର ରାଷ୍ଟ୍ରୀୟ ରାଇଫଲର ୪୨ ନମ୍ବର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଏଥିପାଇଁ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା ।

ସେପଟେ ପାକିସ୍ତାନ, ସିରିଆଠାରୁ ମଧ୍ୟ ଅଧିକ ବିପଦଜନକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଷ୍ଟ୍ରାଟେଜିକ ଫୋର୍ସାଇଟ ଗ୍ରୁପର ମିଳିତ ପ୍ରୟାସରେ ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି । ଆଫଗାନ, ତାଲିବାନ ଓ ଲସ୍କର-ଏ-ତୋଇବା ଅର୍ନ୍ତଜାତୀୟ ସୁରକ୍ଷା ପାଇଁ ସବୁଠାରୁ ଅଧିକ ବିପଦଜନକ । ସବୁଠାରୁ ଅଧିକ ଆତଙ୍କୀ ଭିତିଭୂମି ଓ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏହି ତାଲିକାରେ ଶୀର୍ଷରେ ରହିଛି । ଏହା ସହ ପରିସଂଖ୍ୟାନ ଅନୁଯାୟୀ ପାକିସ୍ତାନ ହିଁ ସବୁଠାରୁ ଅଧିକ ଆତଙ୍କୀ ସଂଗଠନକୁ ସମର୍ଥନ ଜଣାଉଛି ଓ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଉଛି । ଏନେଇ ‘ହ୍ୟୁମାନିଟି ଆଟ୍ ରିସ୍କ-ଗ୍ଲୋବାଲ ଟେରର ଥ୍ରେଟ ଇଣ୍ଡିକାଂଟ’ ନାମକ ଏକ ରିପୋର୍ଟରେ ଏହା ଉଲ୍ଲେଖ ଅଛି ।