ମୋତେ ଜହ୍ଲାଦ ଭାବେ ନିଯୁକ୍ତି କର, ମୁଁ ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଫାଶୀ ଦେବି । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଏଭଳି ଅନୁରୋଧ କଲେ ଯୁବକ ।

2,031

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଜହ୍ଲାଦ ହେବାକୁ ପ୍ରସ୍ତୁତ ହିମାଚଳ ପ୍ରଦେଶର ଜଣେ ଯୁବକ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଉପରେ ଏଯାଏଁ ରାଷ୍ଟ୍ରପତି ଅନ୍ତିମ ନିଷ୍ପତି ନେଇନାହାନ୍ତି । କିନ୍ତୁ ଏହାପୂର୍ବରୁ ହିମାଚଳ ପ୍ରଦେଶର ଯୁବକ ରବି କୁମାର ତିହାର ଜେଲରେ ଅସ୍ଥାୟୀ ଜହ୍ଲାଦ ଭାବେ ତାଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଯାହାଦ୍ୱାରା ସେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେଇପାରିବେ । କାରଣ ଏବେ ତିହାର ଜେଲରେ କୌଣସି ଜହ୍ଲାଦ ନାହାନ୍ତି ।

ରବି କୁମାର ରାଷ୍ଟ୍ରପତିଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୋତେ ଅସ୍ଥାୟୀ ଜହ୍ଲାଦ ଭାବେ ନିଯୁକ୍ତ କରାଯାଉ ଯାହାଦ୍ୱାରା ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଅତିଶୀଘ୍ର ଫାଶୀ ଦିଆଯାଇପାରିବ । ଯାହା ନିର୍ଭୟାର ଆତ୍ମାକୁ ଶାନ୍ତି ପ୍ରଦାନ କରିବ । କାରଣ ତିହାର ଜେଲରେ ଜହ୍ଲାଦ ନଥିବା କାରଣରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନଭେମ୍ବର ୪ରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ରାଷ୍ଟ୍ରପତି ଏହି ରାଜକ୍ଷମା ଆବେଦନ ଖାରଜ କରିବା ମାତ୍ରେ ଅଭିଯୁକ୍ତଙ୍କ ବିରୋଧରେ ବ୍ଲାକ ୱାରେଣ୍ଟ ଜାରି କରାଯିବ । ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ନେଇ ପ୍ରସ୍ତୁତି ଆରମ୍ଭ କରାଯିବ । ତେଣୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ପୂରା ଦେଶବାସୀ ଅପେକ୍ଷା କରି ରହିଛନ୍ତି ।

୨୦୧୨ରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଅଭିଯୁକ୍ତ ମଧ୍ୟ ରହିଥିଲା । ତେବେ ୧୮ ବର୍ଷ ହେବା ପରେ ଉକ୍ତ ଅଭିଯୁକ୍ତଙ୍କୁ ଛାଡି ଦିଆଯାଇଥିଲା । ଅନ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲ ମଧ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।