ପୁରଣା ଦିନର ସ୍ମୃତି ସାଉଁଟିଲେ ରେଭେନ୍ସାର ପୁରାତନ ଛାତ୍ର : ୧୫୦ ବର୍ଷ ପୂର୍ତ୍ତି ଅବସରରେ ବହୁ ବିଶିଷ୍ଟ ପୁରାତନ ଛାତ୍ର ହେଲେ ଏକାଠି

26

କନକ ବ୍ୟୁରୋ : ରେଭେନ୍ସାର କୃତିଛାତ୍ରଛାତ୍ରୀଙ୍କ ପାଇଁ ପୁରାତନ ଛାତ୍ର ସଂଗଠନ ଗଢିଛି ଏକ ପାଣ୍ଠି । ସଦସ୍ୟଙ୍କ ଦାନ ଆଧାରରେ ପରିପୃଷ୍ଟ ହେବ ଏହି ପାଣ୍ଠି ବୋଲି ଘୋଷଣା କରିଛନ୍ତି ସଂଗଠନର ସଭାପତି ସୌମ୍ୟରଂଜନ ପଟ୍ଟନାୟକ । ଆଜି ଅନୁଷ୍ଠିତ ମହାମିଳନ ଅବସରରେ ପ୍ରଥମ ଦିନ ହିଁ ଆଦାୟ ହୋଇଛି ୨ ଲକ୍ଷ ଟଙ୍କା । ଏହା ସହ ପୁରାତନ ଛାତ୍ରଛାତ୍ରୀମାନେ ଅକୁଣ୍ଠ ଚିତ୍ତରେ ଏହି ପାଣ୍ଠିକୁ ଦାନ କରିବାକୁ ଆହ୍ୱାନ ଦେଇଥିଲେ ସୌମ୍ୟରଂଜନ । ଫଳରେ ଜଣେ ମେଧାବୀ ବିଦ୍ୟାର୍ଥୀ ପାଇଁ ଅର୍ଥ ବାଧକ ହେବ ନାହିଁ ବୋଲି ସେ କହିଥିଲେ ।

ଦୀର୍ଘ ଦେଢଶହ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରେଭେନ୍ସା ପରିସରରେ ଏକାଠି ହୋଇଥିଲେ ଏହି ଐତିହାସିକ ଅନୁଷ୍ଠାନର ସବୁ ସମୟର ଛାତ୍ରଛାତ୍ରୀ । ଆଜି ଆୟୋଜିତ ହୋଇଯାଇଛି ରେଭେନ୍ସା ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ । ଏହି ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଛି । ଏଣିକି ପ୍ରତିବର୍ଷ ଜାନୁଆରୀ ଶେଷ ରବିବାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରଙ୍କ ଦିନ ଭାବେ ଘୋଷଣା କରା ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଆଜିର ଏହି ମହାମିଳନରେ ନିଜର କଲେଜ ଦିନର ସ୍ମୃତି ଚାରଣ କରିଛନ୍ତି ।