ଦଶାନନଙ୍କ ମନ୍ଦିର ! ଭାରତରେ ରହିଛି ଏଭଳି ମନ୍ଦିର ଯେଉଁଠି ଶ୍ରୀରାମଙ୍କ ପୂଜା ନୁହେଁ ବରଂ ରାବଣ ପାଆନ୍ତି ପୂଜା।

92

ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମନ୍ଦିର ତ ଆପଣ ଦେଖିଥିବେ । କିନ୍ତୁ କେବେ ଲଙ୍କାପତୀ ରାବଣଙ୍କ ମନ୍ଦିର ଥିବା କଥା ଶୁଣିଛନ୍ତି । ଯଦି ନାହିଁ ତେବେ ଆମେ ଆପଣଭ୍କୁ ଭାରତର ଏଭଳି କିଛି ମନ୍ଦିର କଥା କହିବାକୁ ଯାଉଛୁ ଯେଉଁଠି ରାମଙ୍କ ପରିବର୍ତ୍ତେ ରାବଣଙ୍କ ପୂଜା କରାଯାଇଥାଏ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶରେ ଦଶାନନ ରାବଣଙ୍କୁ ପୂଜା କରାଯିବାର ବିଧି ରହିଛି । କିନ୍ତୁ ରାବଣଙ୍କୁ ପୂଜା କରିବା ପଛରେ କାରଣ କଣ ଜାଣିଛନ୍ତି ।

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବିଦିଶା ଜିଲାରେ ରହିଛି ରାବଣଙ୍କ ଭବ୍ୟ ମନ୍ଦିର । ଏଠାରେ ପୂଜାପାଆନ୍ତି ରାକ୍ଷସରାଜ ରାବଣ । ଏହି ମନ୍ଦିର ମଧ୍ୟପ୍ରଦେଶର ପ୍ରଥମ ରାବଣ ମନ୍ଦୀର ।ସେହିପରି ରାଜ୍ୟର ମନ୍ଦସୌର ଅଞ୍ଚଳରେ ମଧ୍ୟ ରାବଣଙ୍କ ଏକ ମନ୍ଦିର ରହିଛି । ମନ୍ଦସୌର ଖାନପୂରା ଅଞ୍ଚଳର ରାବଣ ରୁଡ୍ଡି ନାମକ ସ୍ଥାନରେ ଦଶାନନଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ରହିଛି । କୁହାଯାଏ ଏହା ମହାବଳୀ ରାବଣଙ୍କ ଶ୍ୱଶୁର ଘର । ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ନାମାନୁସାରେ ଏହାର ନାମକରଣ ମନ୍ଦସୌର ହୋଇଛି ବୋଲି ସ୍ଥାନୀୟ ଗବେଷକଙ୍କ ମତ ।

କର୍ଣ୍ଣାଟକ: କୋଲାର ଜିଲ୍ଲାର ଲୋକ ଫସଲ ମହୋତ୍ସବ ସମୟରେ ରାବଣଙ୍କୁ ପୂଜା କରିବାର ପରମ୍ପରା ରହିଛି । ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବାରୁ ଏଠାରେ ତାଙ୍କ ପୂଜା କରାଯାଏ ବୋଲି କଥା ରହିଛି । ଏଠାରେ ଆୟୋଜିତ ଲଙ୍କେଶ୍ୱର ମହୋତ୍ସବ ସମୟରେ ଭଗବାନ ଶିବଙ୍କ ସହ ରାବଣଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଶୋଭାଯାତ୍ରାରେ ବାହାରକୁ ନିଆଯାଇ ପରିକ୍ରମା କରାଯାଇଥାଏ ।ଏହାଛଡା ମଣ୍ଡ୍ୟା ଜିଲ୍ଲାରେ ମଧ୍ୟ ରାବଣଙ୍କ ଏକ ମନ୍ଦିର ରହିଛି ।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରେ ରାବଣଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି । କାନପୁରସ୍ଥିତ ଶିବାଲା ଅଞ୍ଚଳରେ ଥିବା ଦଶାନନ ମନ୍ଦିରରେ ରାବଣଙ୍କୁ ଶକ୍ତିର ସ୍ୱରୂପ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ମନ୍ଦିରର ନିର୍ମାଣ ୧୮୯୦ରେ କରାଯାଇଥିଲା । ଏହି ମନ୍ଦିରର ବିଶେଷତ୍ୱ ହେଉଛି ପ୍ରତିବର୍ଷ ଗୋଟିଏ ଦିନ ଅର୍ଥାତ ଦଶହରାରେ ଏହା ଖୋଲାଯାଇଥାଏ । ଦଶହରା ଦିନ ସକାଳୁ ଏହି ମନ୍ଦିର ଖୋଲ । ଯାଇଥାଏ । ଏହି ସମୟରେ ରାବଣଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥାଏ । ପରେ ସନ୍ଧ୍ୟାରେ ମନ୍ଦିର ପୁଣିଥରେ ବର୍ଷକ ପାଇଁ ବନ୍ଦ ରହିଥାଏ ।

ରାଜସ୍ଥାନ: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ମନ୍ଦୋଦରୀ ବୋଲି ଗୋଟିଏ ସ୍ଥାନ ରହିଛି । ଏଠାରେ ରାବଣ ଦେବୀ ମନ୍ଦୋଦରୀଙ୍କ ହାତ ଧରି ବିବାହ କରିଥିଲେ । ରାବଣ ଓ ମନ୍ଦୋଦରୀଙ୍କ ଏହି ବିବାହ ସ୍ମୃତିକୁ ମନେ ରଖିବା ପାଇଁ ଏଠାରେ ଚବରୀ ନାମକ ଏକ ସ୍ମୃତିପୀଠ ରହିଛି । ଏହାଛଡା ଚାନ୍ଦପୋଲ ନିକଟରେ ମଧ୍ୟ ଦଶାନନ ରାବଣଙ୍କର ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ହିମାଚଳ ପ୍ରଦେଶ: ଏହି ରାଜ୍ୟର କାଙ୍ଗଡା ଜିଲ୍ଲାରେ ଶିବ ନଗରୀ ନାମରେ ପ୍ରସିଦ୍ଧ ଏକ ଅଞ୍ଚଳ ରହିଛି । ଏଠାରେ ଭଗବାନ ଶିବଙ୍କୁ ଉତ୍ସର୍ଗ ହୋଇଥିବା ବୈଜନାଥ ମହାଦେବଙ୍କ ମନ୍ଦିର ରହିଛି ।ଏଠାରେ ରାବଣଙ୍କ ପୁତଳା ଜାଳିବାକୁ ମହାପାପ ବୋଲି ଲୋକ ଭାବିଥାନ୍ତି । ରାବଣଙ୍କୁ ଏହି ଅଞ୍ଚଳରେ ଲୋକ ବେଶ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିଥାନ୍ତି । କୁହାଯାଏ ଏଠାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ରାବଣ ମୋକ୍ଷପ୍ରାପ୍ତିର ବରଦାନ ପାଇଥିଲେ । ଏଣୁ ଏହି ଅଞ୍ଚଳର ଅଧିବାସୀଙ୍କ ପାଇଁ ରାବଣ ବେଶ୍ ପୂଜ୍ୟ ।