ଟ୍ରେନ୍ ଦୁର୍ଘଟଣାକୁ ନେଇ ବଢୁଛି ରାଜନୀତି ! ରାବଣ ପୋଡ଼ି ଆୟୋଜକଙ୍କ ମିଳୁନି ପତ୍ତା, କର୍ପୋରେଟରଙ୍କ କଂଗ୍ରେସ ସହ ସଂପୃକ୍ତି ଅଭିଯୋଗ ।

38

ପଞ୍ଜାବର ଅମୃତସରରେ ଘଟିଥିବା ଛାତି ଥରା ଘଟଣାକୁ ନେଇ ରାଜନୀତି ଜୋରଦାର ହୋଇଛି । କାରଣ ଦଶହରାରେ ରାବଣପୋଡି ଉତ୍ସବର ଆୟୋଜନ କରିଥିବା ଆୟୋଜକଙ୍କ ବାବଦରେ ପୋଲିସକୁ ଏପର୍ଯ୍ୟନ୍ତ କୌଣସି ପତା ମିଳିନି । ହେଲେ ସ୍ଥାନୀୟ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାବଣ ପୋଡିର ଆୟୋଜନ କରିଥିଲେ ମିଠୁ ମଦନ ନାମକ ଜଣେ ସ୍ଥାନୀୟ କର୍ପୋରେଟର । କଂଗ୍ରେସ ସହିତ ତାଙ୍କର ସଂପୃକ୍ତି ଥିବା କୁହାଯାଉଛି । ଦୁର୍ଘଟଣା ପରଠାରୁ ସେ ଫେରାର ଅଛନ୍ତି ।

ସେପଟେ ରାବଣପୋଡି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ । ହେଉଥିବା ଅଭିଯୋଗ ଅନୁସାରେ ଦୁର୍ଘଟଣା ପରେ ପରେ ସେ ସେଠାରୁ ଖସି ଚାଲିଯାଇଥିଲେ । ଏହି ଅଭିଯୋଗକୁ କିନ୍ତୁ ଅସ୍ୱୀକାର କରିଛନ୍ତି ନବଜୋତ କୌର ।

ନବଜୋତ କୌର ଗଣମାଧ୍ୟମକୁ କହିଛନ୍ତି, ସେ ଘଟଣାସ୍ଥଳ ଛାଡି ଚାଲିଯିବା ପରେ ଦୁର୍ଘଟଣା ଘଟିଥିଲା । ଏପରିକି ସେ ସୂଚନା ପାଇବା ପରେ ପୋଲିସ କମିଶନରଙ୍କ ସହ ଫୋନରେ କଥା ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ସେ ନଆସିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ । ତେବେ ଘଟଣାକୁ ନେଇ ରାଜନୀତି ନକରିବାକୁ ସେ କହିଛନ୍ତି । ଏଥିସହ ରେଳବାଇର ଅବହେଳା ଯୋଗୁଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ କରିଛନ୍ତି । ଦଶହରା ଉତ୍ସବ ବାବଦରେ ସୂଚନା ଥିଲେ ମଧ୍ୟ ରେଳଗୁଡିକର ବେଗ କାହିଁକି କମ୍ କରାଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ନବଜୋତ କୌର ସିଦ୍ଧୁ ।