ରାଉରକେଲା ଆଇଜିଏଚରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ପରିଣାମ : ପ୍ରାଣ ହରାଇଲେ ଇସ୍ପାତ କାରଖାନାର କର୍ମଚାରୀ

33

ରାଉରକେଲା : ମାସ ମାସ ଧରି ଚିକିତ୍ସା କଲେ । କହିଲେ କାକୁଡି ଖାଇଥିବାରୁ କାକୁଡି ମଂଜିରୁ ପୋକ ଯାଇ ମୁଣ୍ଡରେ ରହିଯାଇଛି । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ରେଫର କଲେ । ସେଠାରେ ପରୀକ୍ଷା ପରେ ଜଣାପଡିଲା ଯେ ରୋଗୀ କର୍କଟ ରୋଗର ଶେଷ ଅବସ୍ଥାରେ ପହଂଚିଛନ୍ତି । ଆଉ ମାତ୍ର କିଛି ଦିନର ଚିକିତ୍ସା ପରେ ରୋଗୀଙ୍କ ମୃତ୍ୟୁ ହେଲା । ରାଉରକେଲା ଆଇଜିଏଚରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ ।

କୃଷ୍ଣଚନ୍ଦ୍ର ରାଉତ । ବୟସ ୫୯ । ଆରଏସପି ଟାଉନସିପ୍ ମେଂଟେନାନ୍ସ ବିଭାଗର କର୍ମଚାରୀ । ଅସୁସ୍ଥତା ଯୋଗୁ ଚିକିତ୍ସିତ ହେଉଥିଲେ ରାଉରକେଲା ଆଇଜିଏଚରେ । ସଠିକ ରୋଗ ନିରୂପଣ କରି ନପାରି ଆର୍ଥ୍ରାଇଟିସ ରୋଗର ଚିକିତ୍ସା ଜାରି ରଖିଲେ । ଅବସ୍ଥା ସାଂଘାତିକ ହେବାରୁ କୌଣସି ରେଫରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକେ ଅନୁରୋଧ କଲେ ମଧ୍ୟ ସେମିତି କିଛି ହୋଇନି କହି ସମୟ ଗଡାଇ ଚାଲିଲେ ଡାକ୍ତରମାନେ । ଶେଷରେ ଶ୍ରମିକ ସଂଗଠନର ଚାପ ଯୋଗୁ ଜୁଲାଇ ୨୧ରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଥିଲେ ଆଇଜିଏଚ କର୍ତୃପକ୍ଷ । ଆଉ ଅଗଷ୍ଟ ୫ ତାରିଖରେ କ୍ୟାନସରରେ ମୃତ୍ୟୁ ହୋଇଥିଲା କୃଷ୍ଣଚନ୍ଦ୍ରଙ୍କର ।

କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଆଣି ଆଇଜିଏଚର ମର୍ଗ ହାଉସରେ ରଖିବା ସହ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ଚାକିରୀ ଦେବା ପାଇଁ ଦାବି କରିଛନ୍ତି ସହକର୍ମୀ ଓ ପରିବାର ଲୋକେ । କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପାଇଁ ଆଇଜିଏଚ ଡାକ୍ତରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କରିବା ସହ ଘଟଣାକୁ ନେଇ ରାଉରକେଲା ଆଇଜିଏଚରେ ଚାପା ଉତେଜନା ସୃଷ୍ଟି ହୋଇଛି ।