ଖୋଲିବ ରତ୍ନଭଣ୍ଡାର ! ଆଜି ପରିଚାଳନା କମିଟି ବୈଠକରେ ହୋଇପାରେ ଆଲୋଚନା

44

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ । ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ । ଆଜି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ହୋଇପାରେ ଆଲୋଚନା । ଏହା ସହିତ ବୈଠକରେ ଶ୍ରୀମନ୍ଦିର ବଜେଟ ଆଗତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ସର୍ତମୂଳକ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅନୁମତି ସମ୍ପର୍କରେ ଏକ ପୃଷ୍ଠାର ପତ୍ର ଶ୍ରୀମନ୍ଦିର ପ୍ରଶାସନ ପାଖରେ ପଂହଚିଛି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏକ କମିଟି ଗଠନ କରାଯିବ । ଏ ନେଇ ଆସନ୍ତା ୨୯ ତାରିଖରେ ପୁରୀରେ ଛତିଶାନିଯୋଗର ବୈଠକ ବସିବ ।

କମିଟିରେ କିଏ କିଏ ରହିବ ସେ ବାବଦରେ ନିଷ୍ପତି ନିଆଯିବ । ରତ୍ନଭଣ୍ଡାରର ଯାଂଚର ରୂପରେଖ କିଭଳି ହେବ ସେ ନେଇ ବି ଏହି ବୈଠକରେ ଆଲୋଚନା ହେବ । ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟ ଗତ ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡିଥିଲେ । ଶେଷରେ ସର୍ତ ସହ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଏକ ସପ୍ତାହ ଭିତରେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ବା ଏସଓପି ପ୍ରସ୍ତୁତ କରାଯାଉଛି । ଏହି ଏସ୍ଓପିରେ କେମିତି ରତ୍ନଭଣ୍ଡାର ଭିତରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ପ୍ରବେଶ କରିବେ ତାର ରୂପରେଖ ପ୍ରସ୍ତୁତ କରାଯାଉଛି । ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଧୋତି ଓ ଗାମୁଛା ପିନ୍ଧି ଭଣ୍ଡାର ଘର ଭିତରକୁ ପ୍ରବେଶ କରିବେ । ମୁଣ୍ଡରେ ଏଲଇଡି ଲାଇଟ୍ ଖଂଜା ହେଲମେଟ୍ ପିନ୍ଧି ଘନ ଅନ୍ଧକାରମୟ ରତ୍ନଭଣ୍ଡାରର ସ୍ଥିତି ପରଖିବେ । ଏହି ସମୟରେ ଭଣ୍ଡାର ଘର ବାହାରେ ଆମ୍ବୁଲାନ୍ସ ଓ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଉପସ୍ଥିତ ରହିବେ ।