ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ଭିତର ଗୃହ ! ବାହାରୁ ଥାଇ ଦେଖିଲେ ଭିତର ଭଣ୍ଡାରର ସ୍ଥିତି । କହିଲେ, ବାହାରୁ ଦେଖିବା ସମ୍ଭବ ହେଉଥିବାରୁ ଭିତର ଭଣ୍ଡାରକୁ ଖୋଲାଗଲାନି

26

କନକ ବ୍ୟୁରୋ: ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ଭିତର ଗୃହ । ଯେଉଁ ଭିତର ଗୃହକୁ ନେଇ ଚାରିଆଡେ ଉକ୍ରଣ୍ଠା ଲାଗିରହିଛି , ସେହି ଭିତର ଭଣ୍ଡାରକୁ ପ୍ରବେଶ ନକରିବା ପାଇଁ ନିଷ୍ପତି ନେଇଛି ଯାଂଚ୍ କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜି ଯାଂଚ୍ କମିଟି ପୁରା ପ୍ରସ୍ତୁତ ହୋଇ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲା । ଅକ୍ସିଜେନ୍ ସିଲିଣ୍ଡର, ଏଲଇଡି ଲାଇଟ୍ ଓ ପାୱାରଫୁଲ୍ ସର୍ଚ୍ଚ ଲାଇଟ୍ ଧରି ଭିତରକୁ ପ୍ରବେଶ କରିଥିଲେ ୧୬ ଜଣିଆ ଯାଂଚ୍ କମିଟି । ଆଉ ବାହାରେ ସଜାଗ ଥିଲେ ସ୍ନେକ୍ ହେଲ୍ପଲାଇନର ସଦସ୍ୟ । ଏପଟେ ସାରା ରାଜ୍ୟର ନଜର ଥିଲା ୩୪ ବର୍ଷ ପରେ ରତ୍ନଭଣ୍ଡାରର ରହସ୍ୟ ଖୋଲିବ , କିନ୍ତୁ ବାହାର ଭଣ୍ଡାର ଯାଂଚ୍ କରିବା ପରେ ଭିତର ଭଣ୍ଡାର ନଖୋଲିବା ପାଇଁ ୧୬ ଜଣିଆ କମିଟି ନିଷ୍ପତି ନେଲେ । ଏହାର କାରଣ ଦର୍ଶାଇବାକୁ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବାହାରୁ ଦେଖିବା ସମ୍ଭବ ହେଉଥିବାରୁ ଭିତର ଭଣ୍ଡାରକୁ ଖୋଲାଗଲାନାହିଁ ।

ପୂର୍ବନିର୍ଦ୍ଧାରିତ ପରିଧାନରେ ରତ୍ନଭଣ୍ଡାରରେ ପ୍ରବେଶ କରିବା କରିବା ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ବାହାର ଭଣ୍ଡାର । ଆଉ ଏହା ପରେ ଦେଖିବାର ଥିଲା ଭିତର ଭଣ୍ଡାର । କିନ୍ତୁ ଆଶ୍ଚର୍ଯଜନକ ଭାବେ ସମସ୍ତେ ନିଷ୍ପତି ନେଲେ ଭିତର ଭଣ୍ଡାର ନଖୋଲିବା ପାଇଁ । ସବୁଠାରୁ ରହସ୍ୟମୟ ଏହି ଭିତର ଭଣ୍ଡାରକୁ ବାହାରୁ ଦେଖିବାକୁ ନିଷ୍ପତି ନେଲେ । ବାହାର ଭଣ୍ଡାର ଘରୁ ଏକ ଜାଲି କବାଟରେ ଟର୍ଚ୍ଚ ପକାଇ ସେମାନେ ଯାଂଚ କରିବାକୁ ଉଚିତ ମଣିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ କହିଛନ୍ତି-ଭିତର ଭଣ୍ଡାର ଦେଖିବା ପାଇଁ ଏହାକୁ ଖୋଲିବାର ଆବଶ୍ୟକତା ନଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି- ଭିତର ଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ଅନୁମତି ଥିବା ସତ୍ୱେ କମିଟି କାହିଁକି ଭିତର ଭଣ୍ଡାର ଖୋଲିଲେ ନାହିଁ ? ତେବେ ବାହାର ଭଣ୍ଡାର ଖୋଲିବା ସମୟରେ ଏକ ଅଘଟଣ ଘଟିଥିଲା । ଯାଂଚ କମିଟିରେ ଯାଇଥିବା ଏଏସ୍ଆଇର ଯନ୍ତ୍ରୀ- ଜିସି ମିତ୍ର ହଠାତ୍ ଝୁଂଟି ଯାଇ ପଡ଼ି ଯାଇଥିଲେ । ଏହି ଖବର ତୁରନ୍ତକୁ ବାହାରକୁ ଚାଲିଆସିଲା । ପରବର୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା ।

ଭିତର ଭଣ୍ଡାର ନଖୋଲିବାକୁ ନିଷ୍ପତି ହେବା ପୂର୍ବରୁ ଅଧିକୃତ ସଦସ୍ୟମାନେ ବାହାର ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରବେଶ କରିବା ସମୟରେ ଅଳନ୍ଧୁ ଭର୍ତି ହୋଇଥିବାରୁ ଏହାକୁ ଝାଡୁ ମାରି ସଫା କରିଥିଲେ । ସେହିପରି କାନ୍ଥରେ ହାତ ମାରି ଏହା ଓଦା ଥିବା ଜାଣିବାକୁ ପାଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଛାତ, କାନ୍ଥ ଓ ଚଟାଣର ଅନୁଧ୍ୟାନ କରି ଭିଡିଓଗ୍ରାଫି କରିଥିଲେ ।