ମିଳିଲା ଭିତର ଭଣ୍ଡାରର ନକଲି ଚାବି : ମାଟିଆ ରଙ୍ଗର ଲଫାପା ଭିତରୁ ନକଲି ଚାବି ପାଇଲା ଅନୁସନ୍ଧାନକାରୀ ଟିମ୍

40

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବିକୁ ନେଇ ବଡ ବିବାଦ ଚାଲିଥିବା ବେଳେ ଶେଷରେ ମିଳିଛି ରତ୍ନଭଣ୍ଡାରର ଚାବି । ଭିତର ଭଣ୍ଡାରର ଏକ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଏହି ସୂଚନା ପରେ ରତ୍ନଭଣ୍ଡାର ଚାବି ସଂପର୍କରେ ଯେଉଁ ବିବାଦ ଚାଲିଥିଲା, ଏହା ନୂଆ ମୋଡ ନେଇଛି । ଜିଲ୍ଲା ରେକର୍ଡ ରୁମରୁ ଜଉମୁଦିଆ ମାଟିଆ ଲଫାପାରେ ରହିଛି ଚାବି । ଆଉ ଲଫାଫାରେ ରହିଛି ୩ଟି ଜଉମୁଦ । ଜିଲ୍ଲାପାଳଙ୍କ ନିିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାଶଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଦୁଇଟି ଟିମ୍ । ଏହି ଟିମ ଜିଲ୍ଲା ରେକର୍ଡ ରୁମ, ନାଜିର ଖାନା ଓ ଟ୍ରେଜେରୀକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ । ଶେଷରେ ରେକର୍ଡ ରୁମର ଏକ ଆଲମାରିରେ ରହିଯାଇଥିଲା ଏହି ଭିତର ରତ୍ନଭଣ୍ଡାରର ଚାବି ଥିବା ଲଫାପା ।

ଚାବି ପ୍ରସଙ୍ଗକୁ ନେଇ ଏପ୍ରିଲ ୨ ତାରିଖରେ ଜିଲ୍ଲାପାଳ ଚାବିନଥିବା ଜାଣିବାକୁ ପାଇଥିଲେ । ଏହାପରେ ମେ ୨୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉଥରେ ଚାବି ଖୋଜିବା ପାଇଁ ଚିଠି କରାଯାଇଥିଲା । ତେଣୁ ଏହାକୁ ନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଟିମ୍ ଲଗାଇ ଚାବି ଖୋଜିଥିଲେ । ତେବେ ମାଟିଆ ଲଫାପାରେ ଜଉମୁଦ ଦିଆଯାଇଥିବାବେଳେ ସେଥିରେ ଡୁପ୍ଲିକେଟ କି ଅଫ ଭିତର ରତ୍ନଭଣ୍ଡାର ଆଣ୍ଡ ଜୁଏଲାରୀଜ ବୋଲି ଉଲ୍ଲେଖ ରହିଛି । ଏବେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ । ସେପେଟ କମିଶନ ଅନୁଧ୍ୟାନ ପାଇଁ ଆସିବା ପରେ ଲଫାପା ଖୋଲାଯିବାର ସମ୍ଭାବନା ରହିଛି ।