ମୋତେ ଜେଲ୍ ପଠାଇଲ କାହିଁକି ? ରାସନକାର୍ଡ ବଂଟନ ନେଇ ରାଜ୍ୟ ସରକାର ନିୟମ ବଦଳାଇବା ପରେ ପ୍ରଶ୍ନ ଉଠାଇଛନ୍ତି ଗିରଫ ହିତାଧିକାରୀ

57

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସରକାର ଇଜ୍ଜତ ନେଇଛନ୍ତି ଫେରାନ୍ତୁ । ଆମକୁ ଟଙ୍କା ଦରକାର ନାହିଁ । ଥରେ ଗିରଫ କରିବା ପରେ ମାମଲା ଫେରାଇନେଲେ କଣ ହେବ । ଆମ ଇଜ୍ଜତ ଫେରିବ କି । ରାସନକାର୍ଡ ବଂଟନ ନେଇ ରାଜ୍ୟ ସରକାର ନିୟମ ବଦଳାଇବା ପରେ ପ୍ରଶ୍ନ ଉଠାଇଛନ୍ତି ଗିରଫ ହିତାଧିକାରୀ । ନେତା, କର୍ମୀ ସବୁ ନିଜ ନାଁରେ କାର୍ଡ କଲେ ଆଉ ପୋଲିସ ଆମକୁ ବିନା ନୋଟିସରେ ଆଯୋଗ୍ୟ ହିତାଧିକାରୀ କହି ବାନ୍ଧିନେଲା । ଯଦି ସରକାର ନିୟମ ବଦଳାଇବାର ଥିଲା ତେବେ ଗିରଫ କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ଗିରଫ ହିତାଧିକାରୀ ।

ଅଯୋଗ୍ୟ ହିତାଧିକାରୀ କହି ସମ୍ବଲପୁର ଧମା ଅଂଚଳର ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଦିନକ ପାଇଁ ଜେଲରେ ବି ରଖିଥିଲା । କାହାର ଗ୍ୟାରେଜ ଅଛି ତ ଆଉ କିଏ ଛୋଟ ବ୍ୟବସାୟ କରୁଛି । ନିଜକୁ ଯୋଗ୍ୟ ଭାବି ଏମାନେ ରାସନକାର୍ଡ ନେଇଥିଲେ । ହେଲେ ସରକାର ଦେଖାଇଥିଲେ ମାମଲା ଆଉ ଗିରଫର ଭୟ । ତେବେ କାର୍ଡ ଫେରାଇବା ପରେ ବି ତାଂକୁ ଗିରଫ କରାଯାଇଥିବା କହିଛନ୍ତି ହିତାଧିକାରୀ ।

ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ସରକାର ରାସନକାର୍ଡ ବାଂଟିଲେ । ହେଲେ ସାମ୍ନାକୁ ଆସିଲା ଅନିୟମିତତା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିନଥିବା ବେଳେ ଶାସକ ଦଳର ନେତା ଓ କର୍ମୀ ନିଜ ନାଁରେ କାର୍ଡ ହାତେଇଥିଲେ । ଯାହାକୁ ନେଇ ବିିବାଦ ତେଜିଲା । ଆଉ ସରକାର ଜାରି କଲେ କଟକଣା । କାର୍ଡ ନଫେରାଇଲେ ଗିରଫ କରିବାକୁ ଧମକ ଦେଲେ । ଗିରଫଦାରୀ ବି ହେଲା । ଏବେ ପଲଟିଯାଇଛନ୍ତି ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ଉପରୁ ହଟାଇଛନ୍ତି ମାମଲା । କହିଛନ୍ତି, ଟଂକା ବି ଫେରାଇଦେବେ । ତେବେ ଚର୍ଚା ହେଉଛି ପଂଚାୟତ ନିର୍ବାଚନ ପାଇଁ ଏହେଉଛି ବିଜେଡିର ସନ୍ତୁଷ୍ଟିକରଣ ଯୋଜନା ।