ଧରାପଡ଼ିବ ରାସନ କାର୍ଡ ଜାଲିଆତି । କଟିଯାଇପାରେ ଲକ୍ଷାଧିକ ଲୋକଙ୍କ ରାସନ୍ କାର୍ଡ, ମନ୍ତ୍ରୀ କହିଲେ, ଆଧାର କାର୍ଡ଼ ଲିଙ୍କ୍ ନଥିଲେ ବାଦ୍ ପଡ଼ିବେ ହିତାଧିକାରୀ

1,749

କନକ ବ୍ୟୁରୋ : ଆପଣ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିନାହାନ୍ତି କି? ତେବେ ଶୀଘ୍ର କରାଇ ନିଅନ୍ତୁ, ନହେଲେ କଟିଯାଇପାରେ ଆପଣଙ୍କ ରାସନ୍ କାର୍ଡ । ଗୋଟିଏ ପଟେ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ରାସନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ପ୍ରକ୍ରିିୟା । ଲକ୍ଷାଧିକ ଲୋକ ଜାଲିଆତି କରି ରାସନ କାର୍ଡ ହାତେଇ ଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏକାଧିକ ରାସନ୍ କାର୍ଡ ହାତେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ଦେଇପାରନ୍ତି ସରକାର ।

ଯଦି ରାସନ୍ କାର୍ଡ ରହିଛି, କିନ୍ତୁ ଆଧାର କାର୍ଡ ନାହିଁ, ତେବେ ଅକାମୀ ହୋଇଯିବ ଆପଣଙ୍କ ରାସନ୍ କାର୍ଡ । ରାସନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ନହେଲେ ଜାତୀୟ ଖାଦ୍ୟ ସୁରକ୍ଷା ତାଲିକାରୁ ବାଦ ପଡିବେ ହିତାଧିକାରୀ । ଲକ୍ଷ ଲକ୍ଷ ସ୍ୱଚ୍ଛଳ ବର୍ଗର ଲୋକ ରାସନ କାର୍ଡ ହାତେଇ ଥିବା ବେଳେ ଜଣେ ଜଣେ ହିତାଧିକାରୀ, ଏକାଧିକ ରାସନ୍ କାର୍ଡ ହାତେଇଥିବା ଅଭିଯୋଗ ହୋଇଆସୁଛି । ପାଖାପାଖି ୫ ବର୍ଷ କାଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଏହି ହିତାଧିକାରୀମାନେ ଫାଇଦା ଉଠାଉଛନ୍ତି ।

ଆସନ୍ତାବର୍ଷ ଜୁଲାଇ ମାସରେ ସାରା ଦେଶରେ ୱାନ ନେସନ୍ – ୱାନ୍ ରାସନ୍ କାର୍ଡ ଯୋଜନା ଲାଗୁ କରିବାକୁ ମନସ୍ଥିର କରିଛନ୍ତି ମୋଦୀ ସରକାର । ଫଳରେ ଦେଶସାରା ରାସନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ପ୍ରକ୍ରିିୟା ଆରମ୍ଭ ହୋଇଛି । ଓଡ଼ିଶାରେ ମଧ୍ୟ ଆଧାର କାର୍ଡ ଲିଙ୍କ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ରାସନ୍ କାର୍ଡ କଟିଯିବ ବୋଲି ସୂଚନା ମିଳିଛି । ୨୦୧୪ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ୍ କାର୍ଡ ଯୋଗାଇ ଦିଆଯାଇଥିଲା । ସେତେବେଳେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନଥିଲା । ଫଳରେ ଅନେକ ଅଯୋଗ୍ୟ ହିତାଧିକାରୀ, ରାସନ୍ କାର୍ଡ ହାତେଇବାରେ ସଫଳ ହୋଇଥିଲେ ।

ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ୪୧ ହଜାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଯାହା ମୋଟ ଜନସଂଖ୍ୟାର ପ୍ରାୟ ୭୮ ପ୍ରତିଶତ । ସେପଟେ ୨୦୧୮ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିଛନ୍ତି । ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ବାଦ ପଡିଥିବା ସରକାର କହୁଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ କିପରି ରାସନ କାର୍ଡ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ରାସନ କାର୍ଡ ନେଇ ଧରପଗଡ଼ ଆରମ୍ଭ ହୋଇଥିବା ବେଳେ କାଳିଆ ଯୋଜନାର ଚାଲିଛି ଖୋଳତାଡ଼ । ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି, ସେମାନଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିିୟା ଆରମ୍ଭ ହୋଇଛି ।