ତିନି ରଥର ଋଷିପଟା

2

ରଥର ହଂସପଟି, ଗାଈପଟା ଓ କପୋତାଳିର ଉପରେ ଥାଏ ଦଧିନଉତି, ଓଲଟଶୁଆ, କଳସ ଓ ପତାକା ଆଦି। ତେବେ ସେସବୁର ଆଲୋଚନା ପୂର୍ବରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ଆଲୋଚନା ଆବଶ୍ୟକ ମନେହୁଏ। ସେଥିରୁ ଗୋଟିଏ ହେଉଛି ଋଷିପଟା।

ପ୍ରତି ରଥରେ ଆଠଟି ଲେଖାଏଁ ଋଷିପଟା ଥାଏ ଏବଂ ସେଥିରେ ଜଣେ ଲେଖାଏଁ ଋଷି ଚିତ୍ରିତ ହୋଇଥାଆନ୍ତି। ରଥର ତୃତୀୟ ଭୂଇଁ ଓ ପୋଟଳ ମଝିରେ ସେ ସବୁକୁ ଖଞ୍ଜା ଯାଏ। ରଥର ଚାରି ପଟରେ ଦୁଇଟି କରି ଋଷିପଟା ଖଞ୍ଜା ହୋଇଥାଏ। ସେହି ଅଷ୍ଟଋଷି ସଂପୃକ୍ତ ରଥ ସହିତ ଯାତ୍ରା କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ରଥର ଆଠ, ଆଠ ଋଷିଙ୍କର ନାମ ମିଳୁଥିବାବେଳେ, ଦେବୀ ସୁଭଦ୍ରାଙ୍କ ରଥର ଛଅ ଋଷିଙ୍କର ନାମ ହିଁ ଅନେକ ଆଲୋଚକ ଉଲ୍ଲେଖ କରିଛନ୍ତି। ବାକି ଦୁଇ ଋଷିଙ୍କର ନାମ ପରିବର୍ତ୍ତେ ‘ପ୍ରବର୍ତ୍ତକ ଋଷି ମଣ୍ଡଳି’ ବୋଲି ଉଲ୍ଲେଖ ଅଛି। କିନ୍ତୁ ଭିନ୍ନ ଭିନ୍ନ ଆଲୋଚନାରେ ଏହି ଅଷ୍ଟଋଷିମାନଙ୍କର ନାମ ମଧ୍ୟ ଭିନ୍ନଭିନ୍ନ ଥିବା ଦେଖାଯାଏ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଋଷି ଶବ୍ଦର ଅର୍ଥ ହେଉଛି ମନ୍ତ୍ରଦ୍ରଷ୍ଟା। ପରମାର୍ଥ ତତ୍ତ୍ଵରେ ଯେଉଁମାନେ ସମ୍ୟକ୍ ଦୃଷ୍ଟି ରଖନ୍ତି, ସେମାନେ ଋଷି ରୂପେ ବିବେଚିତ ହୁଅନ୍ତି। ପୁରାଣ ମତରେ, ଯେଉଁମାନଙ୍କ ଦ୍ଵାରା ବିଦ୍ୟା, ସତ୍ୟ, ତପଃ ଓ ଶ୍ରୁତି ସମ୍ୟକ୍ ରୂପେ ନିରୂପିତ ହୁଏ, ସେମାନେ ଋଷି।

ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥାଦିରେ ସପ୍ତବିଧ ଋଷିଙ୍କର ବର୍ଣ୍ଣନା ଅଛି। ସେମାନେ ହେଉଛନ୍ତି- ବ୍ରହ୍ମର୍ଷି, ରାଜର୍ଷି, ଦେବର୍ଷି, ପରମର୍ଷି, ଶ୍ରୁତର୍ଷି, କାଣ୍ଡର୍ଷି ଓ ମହର୍ଷି। ବୈଦିକ ଯୁଗର ଋଷିମାନେ ପ୍ରକୃତିର ବିଭିନ୍ନ ସ୍ୱରୂପର ଗୁଣ, କର୍ମ, ଉତ୍ପତ୍ତି ଓ ସ୍ଥିତି ଆଦି ବିଷୟରେ ଧ୍ୟାନମଗ୍ନ ରହୁଥିଲେ। ସେତେବେଳେ ସେମାନଙ୍କ ହୃଦୟରେ ଯେଉଁସବୁ ମନ୍ତ୍ର ପ୍ରତିଭାତ ହେଉଥିଲା, ତାହା ସେମାନଙ୍କ ଶ୍ରୀମୁଖରୁ ଉଚ୍ଚାରିତ ହୋଇଥିଲା। ସେସବୁ ହେଉଛି ବୈଦିକ ସୂକ୍ତ। ତେଣୁ ବେଦ କୌଣସି ମନୁଷ୍ୟ ଦ୍ଵାରା ରଚିତ ନୁହେଁ, ଏବଂ ତାହା ଅପୌରୁଷେୟ ବୋଲି କୁହାଯାଇଛି। ତେଣୁ ତାହା ଶ୍ଳୋକ ନୁହେଁ, ମନ୍ତ୍ର। ସେଥିପାଇଁ ବୈଦିକ ଋଷିମାନଙ୍କୁ ବେଦର ରଚୟିତା କୁହାନଯାଇ, କୁହାଯାଇଛି ମନ୍ତ୍ରଦ୍ରଷ୍ଟା। ତେବେ ପରବର୍ତ୍ତୀ କାଳରେ ଅଲୌକିକ ପ୍ରତିଷ୍ଠା ସଂପନ୍ନ ବ୍ୟକ୍ତିମାନଙ୍କୁ ଋଷି କୁହାଯାଇଛି। ମହାଭାରତ ଓ ଅନ୍ୟାନ୍ୟ ପୁରାଣରେ ବହୁ ବ୍ରାହ୍ମଣ ଓ କ୍ଷତ୍ରୀୟ ମଧ୍ୟ ଏପରି ଅଲୌକିକ ପ୍ରତିଷ୍ଠା ଯୋଗୁଁ ଋଷି ବୋଲି ବିବେଚିତ ହୋଇଛନ୍ତି। ପୁରାଣ ଯୁଗରେ ମଧ୍ୟ ସାଂସାରିକ ସୁଖ ପ୍ରତି ବିମୁଖ ଏବଂ ପରମାତ୍ମାଙ୍କ ପ୍ରତି ନିବେଦିତ ବ୍ୟକ୍ତିମାନଙ୍କୁ ଋଷି କୁହାଯାଇଛି।

ଉପରୋକ୍ତ ସପ୍ତବିଧ ଋଷିଙ୍କ ବ୍ୟତୀତ, ସପ୍ତଋଷିଙ୍କ ପ୍ରସଙ୍ଗ ମଧ୍ୟ ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥାଦିରେ ବର୍ଣ୍ଣିତ ହୋଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅତ୍ରି, ମରୀଚି, ଭରଦ୍ଵାଜ, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ପ୍ରଚେତା, ଭରତ, ତୁମ୍ବୁରୁ ଓ କଣାଦ ଆଦି ଅନେକେ। ବ୍ରହ୍ମାଙ୍କର ମାନସପୁତ୍ରମାନେ ସପ୍ତର୍ଷି ପ୍ରଜାପତି ନାମରେ ଖ୍ୟାତ। ‘ଶତପଥ ବ୍ରାହ୍ମଣ’ରେ ସେମାନଙ୍କୁ ଗୌତମ, ଭରଦ୍ଵାଜ, ବିଶ୍ୱାମିତ୍ର, ଜମଦଗ୍ନି, ବଶିଷ୍ଠ, କଶ୍ୟପ ଓ ଅତ୍ରି ବୋଲି କୁହାଯାଇଛି। ‘ମହାଭାରତ’ରେ ସେମାନେ ମରୀଚି, ଅଙ୍ଗିରା, ପୁଲହ, ପୁଲସ୍ତ୍ୟ, କ୍ରତୁ, ଅତ୍ରି ଓ ବଶିଷ୍ଠ ବୋଲି ଉଲ୍ଲେଖ ଅଛି। ‘ବିଷ୍ଣୁ ପୁରାଣ’ରେ ସେମାନଙ୍କ ସହିତ ଅଛନ୍ତି ଭୃଗୁ ଓ ଦକ୍ଷ। ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥରେ, ଋଷିମାନଙ୍କ ମଧ୍ୟରେ ଗୌତମ, କଣ୍ଵ, ବାଲ୍ମୀକି, ବ୍ୟାସ, ମନୁ ଓ ବିଭାଣ୍ଡକ ଆଦି ଗୃହୀତ ହୋଇଛନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପ୍ରତ୍ୟେକ ମନ୍ଵନ୍ତରରେ ସପ୍ତର୍ଷିଙ୍କର ନାମ ଭିନ୍ନଭିନ୍ନ।

ଉପରୋକ୍ତ ଋଷିମାନଙ୍କ ମଧ୍ୟରୁ କେତେକ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥର ଋଷିପଟାରେ ସ୍ଥାନ ପାଇଥିବା ଦେଖାଯାଏ। ସେମାନଙ୍କ ବ୍ୟତୀତ ଅନ୍ୟ କେତେକ ଋଷି ମଧ୍ୟ ଏହି ତ୍ରିରଥରେ ସ୍ଥାନିତ ହୋଇଛନ୍ତି। ସେମାନେ ରଥର ମୁଖ୍ୟ ଦେବତା ଓ ଅନ୍ୟାନ୍ୟ ମାନଙ୍କ ସହିତ ଯାତ୍ରା କରିଥାଆନ୍ତି।

Comments are closed.