ଜ୍ୱରରେ କମ୍ପୁଛନ୍ତି ଶ୍ରୀବିଗ୍ରହ: ଜାଣନ୍ତୁ ଅଣସର ପିଣ୍ଡିରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଗୋପନୀୟ ସେବାର ସଂପୂର୍ଣ୍ଣ ତଥ୍ୟ

366

କନକ ବ୍ୟୁରୋ: ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଭୀଷଣ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧା ମୂରତି ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ତେବେ ଆଜିଠାରୁ ମହାପ୍ରଭୁ ଶ୍ରୀମନ୍ଦିର ବଦଳରେ ବାବା ଅଲାରନାଥଙ୍କ ପୀଠରେ ଭକ୍ତଙ୍କୁ ଦର୍ଶନ ଦେବେ । ବିଶ୍ୱାସ ରହିଛି କି, ଅଣସର ପିଣ୍ଡିକୁ ବିଜେ ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । । ଅଣସର ଘରେ ୧୫ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ । ଆଉ ମହାପ୍ରଭୁ ସୁସ୍ଥ ହେବାପରେ ନବଯୈାବନ ବେଶରେ ଦର୍ଶନ ଦେବା ସହ ତା ପରଦିନ ରଥଯାତ୍ରାରେ ବଡଦାଣ୍ଡକୁ ବାହାରିବେ ।

ଅଣସର ଘରେ ଥିବାବେଳେ ଶ୍ରୀବିଗ୍ରହଙ୍କ ଅତି ଗୋପନୀୟ ସେବା ହୋଇଥାଏ । ଯାହାକୁ ପତି ମହାପାତ୍ର ଓ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଏହି ସମୟରେ ଅଣସର ପଣା, ଫୁଲୁରି ତେଲ ଲାଗି, ଓଷୁଅ ଲାଗି, ଘଣା ଲାଗି, ଖଳି ଲାଗି ଓ ଚକା ଅପସର ଆସି ଗୁପ୍ତ ନୀତିମାନ କରାଯାଇଥାଏ । ଦୀର୍ଘ ୧୫ ଦିନ ଧରି ଅଣସର ପରେ ଚତୁର୍ଦ୍ଧା ମୁରତିଙ୍କ ନବଯୌବନ ଦର୍ଶନ ପାଇଥାନ୍ତି ଭକତ । ନବଯୌବନ ବେଶରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟିଦିଅଁ ମାନଙ୍କର ବାହୁଡା ବିଜେ ହୋଇଥାଏ । ଏହାପରେ କୋଠ ସୁଆସିଆଁ ସେବକମାନେ ଅଣସର ତାଟି ଖୋଲିଥାନ୍ତି । ଫଳରେ ଶ୍ରୀ ଗୁଣ୍ଡିଚା ପୂର୍ବଦିନ ରଥ ଖଳାରେ ଥିବା ତିନିରଥକୁ ସୁସଜ୍ଜିତ କରାଯାଇଥାଏ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଲାଗି ହେବା ପରେ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରରେ ଲାଗନ୍ତି ।

ରଥଖଳା ପରମ୍ପରା ଅନୁଯାୟୀ , ପ୍ରଥମେ ନନ୍ଦିଘୋଷ ରଥ, ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥଟଣା ହୋଇଥାଏ । ଶ୍ରୀବିଗ୍ରହଙ୍କ ନେତ୍ର ଉତ୍ସବ ଦିନ ବିଳମ୍ବିତ ରାତିରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଠାକୁରମାନଙ୍କ କେତେକ ଗୁପ୍ତନୀତି ତଥା ବାହୁଟ କଣ୍ଟ, ସେନାପଟା, ଶୁଳ୍କ ସଜ ଲାଗି ଇତ୍ୟାଦି କାର‌୍ୟ୍ୟ ଶେଷ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଦାରୁବିଗ୍ରହଙ୍କ ମଙ୍ଗଳ ଆଳତି, ମଇଲମ ଅବକାଶ, ରୋଷହୋମ, ସୂର‌୍ୟ୍ୟପୂଜା, ଦ୍ୱାରାପାଳ ପୂଜା ଓ ବେଶ ଇତ୍ୟାଦି ନୀତି ସମ୍ପନ୍ନ ହେବାପରେ ଏକାଠି ଗୋପାଳ ବଲ୍ଲଭ ଓ ସକାଳ ଧୂପ( ଖେଚୁଡି ଭୋଗ) ପୂଜା କରାଯାଇଥାଏ । ଏହାପରେ ମଙ୍ଗଳାର୍ପଣ ନୀତି ବଢ଼ି ଆରମ୍ଭ ହୁଏ ପହଣ୍ଡି । ଏହି ସମୟରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡି ପହଣ୍ଡିରେ ବିଜେ କରି ରଥାରୂଢ଼ ହୁଅନ୍ତି । ରଥରେ କେତେକ ନୀତି ବଢିବା ପରେ ଗଜପତି ମହାରାଜ ଛେରା ପହଁରା କାର‌୍ୟ୍ୟ ସମ୍ପନ କରିଥାନ୍ତି । ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

image courtesy – www.unusualgifts.in

ଘୋଷଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ମହାଲକ୍ଷ୍ମୀ ଠାକୁରାଣୀ ଏହିଦିନ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଫେରିବା ବେଳେ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିଥାନ୍ତି । ହେରାପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବାପରେ ତିନି ରଥ ଦକ୍ଷିଣ ମୋଡ ନେବାର ପରମ୍ପରା ରହିଆସିଛି । ବାହୁଡା ଦଶମୀ ପୂର୍ବଦିନ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ ହୋଇଥାଏ । ନବମୀ ତିଥିରେ ଦାରୁ ବିଗ୍ରହମାନଙ୍କର ଅନ୍ତିମ ଦର୍ଶନକୁ ସନ୍ଧ୍ୟା ଦର୍ଶନ ବର୍ଣ୍ଣନା କରାଯାଇଛି । ଆଷାଢ ଶୁକ୍ଳ ଦଶମୀରେ ହୋଇଥାଏ ବାହୁଡା ଯାତ୍ରା । ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ରଥାରୂଢ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ରଥଗୁଡିକ ମାଉସୀ ମା’ ମନ୍ଦିର ନିକଟରେ ପହଁଚିଲେ ସେଠାରେ ପୋଡ଼ପିଠା ଭୋଗ ହୁଏ । ପରେ ମହାପ୍ରଭଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ଠାରେ ପହଁଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥାଏ । ଏହାପରେ ରଥଟଣା ପୁଣି ଆରମ୍ଭ ହୋଇ ସିଂହଦ୍ୱାରକୁ ଯାତ୍ରା କରିଥାନ୍ତି ।