ଆଜି ଶ୍ରୀମନ୍ଦିରରେ ରାଜପ୍ରାସାଦ ବିଜେ ନୀତି: ରୁପା ଥାଳିରେ ପାଟବସ୍ତ୍ର ପକାଇ ଶ୍ରୀନଅଁରକୁ ଦଇତା ସେବକ ନେବେ କରାଳ ଚନ୍ଦନ

ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ କରାଇବେ ଅବଗତ

189

କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଲାଗି ପାଇଁ ରୁପା ଥାଳିରେ କରାଳ ଚନ୍ଦନ ରାଜପ୍ରାସାଦ ନିଆଯିବ । ଗୁପ୍ତନୀତି ସରିବା ପରେ ପୂର୍ବାହ୍ନ ସାଢ଼ ୧୦ଟାରେ ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି । ଦଇତା ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେବେ । ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବେ । ଏହାସହ ରଥଯାତ୍ରା ଓ ଗୁପ୍ତନୀତି ବିଷୟରେ ସୂଚନା ଦେବେ ।

ଚୂଡ଼ାନ୍ତ ନୀତି ଅନୁଯାୟୀ, ଭୋର ୪ଟାରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ୫ଟାରୁ ୬ଟା ଭିତରେ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ନୀତି, ୬ଟା ୧୫ରେ ବେଶ ଶେଷ ଓ ରୋଷହୋମ ନୀତି ଅନୁଷ୍ଠିତ ହେବ। ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ବାରପାଳ ପୂଜା, ସାଢ଼େ ୭ଟାରେ ଗୋପାଳ ବଲ୍ଲଭ ପୂଜା, ରାତି ୮ରୁ ୯ଟା ସକାଳ ଧୂପ (କୋଠ ଭୋଗ), ୮ଟା ୧୦ରୁ ସାଢ଼େ ୯ଟା ଭୋଗମଣ୍ଡପ ନୀତି ପରେ ୯ଟା ୪୫ରେ ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୧୦ଟାରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୩୫ରେ ବେହେରଣ ଦ୍ବାର ବନ୍ଦ ହେବା ପରେ ୧୦ଟା ୪୫ରେ ଜୟ ବିଜୟ ଦ୍ବାର ଫିଟିବ। ୧୧ଟାରୁ ୧୨ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ୧୧ଟା୧୫ରୁ ଅପରାହ୍ଣ ଗୋଟାଏ ଭିତରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ହେବ।

ଅପରାହ୍ଣ ଗୋଟାଏରେ ଦକ୍ଷିଣି ଘର ଭୋଗ, ଗୋଟାଏ ୫ରେ ଜୟ ବିଜୟ ଦ୍ବାର ବନ୍ଦ ହେବା ପରେ ଗୋଟାଏ ୧୦ରେ ବେହେରଣ ଦ୍ବାର ଫିଟିବ। ଅପରାହ୍ଣ ୪ଟାରେ ଚକଟା ଭୋଗ ଓ ପଣା ଭୋଗ ନୀତି ଶେଷ ହେବ। ଅପରାହ୍ଣ ସାଢ଼େ ୪ଟାରେ ସଂଧ୍ୟା ଆଳତି ଅନୁଷ୍ଠିତ ହେବ। ମଇଲମ, ବେଶ ପରେ ୫ଟାରୁ ୮ଟା ସଂଧ୍ୟାଧୂପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ନୀତି ଅନୁଷ୍ଠିତ ହେବ। ରାତି ୧୦ଟା ୪୦ରେ ଚକଟା ଭୋଗ ଓ ପଣା ଭୋଗ ପରେ ବେହେରଣ ଦ୍ବାର ବନ୍ଦ, ଜୟବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ରାତି ୧୧ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ସାଢ଼ ୧୧ଟାରେ ଦଇତାପତିମାନେ ଘଣାକଟାକୁ ପ୍ରବେଶ କରିବେ। ରାତି ଗୋଟାଏ ୩୦ରେ ପ୍ରଧାପନା ବୁଣାଟ ଓ ରାତି ୨ଟାରେ ଘଣାଲାଗି ନୀତି ଆରମ୍ଭ ହେବ।