ମହାପ୍ରଭୁଙ୍କ ଅଲୌକିକ ମହିମା! ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଉଥିଲେ ଭକ୍ତ, ମନକଥା ବୁଝି ନାରାୟଣ ବେଶରେ ବ୍ରହ୍ମଗିରିରେ ଦେଲେ ଦର୍ଶନ

328

କନକ ବ୍ୟୁରୋ: ମହାସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ ଏବଂ ୧୫ ଦିନ କାଳ ଚତୁର୍ଦ୍ଧାମୂରତି ଅଣସର ଘରେ ବିଜେ ହୁଅନ୍ତି । ପ୍ରଭୁଙ୍କ ଅଣସର ସମୟରେ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ ଲାଭ କରି କୃତକୃତ୍ୟ ହୁଅନ୍ତି । ବିଶ୍ୱାସ କରାଯାଏ ଯେ, ଶ୍ରୀଅଲାରନାଥଙ୍କ ଦର୍ଶନ, ଜଗନ୍ନାଥଙ୍କ ଦର୍ଶନ ସହିତ ସମାନ । ଏ ବାବଦରେ ଏକ କିମ୍ବଦନ୍ତି ଏହି ବିଶ୍ୱାସକୁ ଅଧିକ ଦୃଢୀଭୁତ କରେ ।

ଏକଦା ଏମିତି ଅଣସର ସମୟରେ ଭକ୍ତ ଆଲବାନ୍ଦାଚାର୍ଯ୍ୟ , ମହାପ୍ରଭୁଙ୍କ ଦର୍ଶନ ନ ପାଇ ମନ ଦୁଃଖରେ ଫେରିଯାଉଥିଲେ । ଭକ୍ତର ମନକଥା ପ୍ରଭୁ ଜାଣିପାରିଲେ । ଶ୍ରୀମନ୍ଦିରର ଦକ୍ଷିଣ ସାତ କୋଶ ଦୂର ବ୍ରହ୍ମଗିରିଠାରେ ଚୁତୁର୍ଭୁଜ ନାରାୟଣ ମୂର୍ତ୍ତି ଦେହରେ ସେ ଦର୍ଶନ ଦେବେ ବୋଲି ଆଲବାନ୍ଦାଚାର୍ଯ୍ୟଙ୍କୁ ପ୍ରଭୁ ଜଣାଇଥିଲେ । ଆଲବାନ୍ଦାଚାର୍ଯ୍ୟଙ୍କୁ ସେଠାରେ ପ୍ରଭୁଙ୍କ ଦର୍ଶନ ମିଳିଥିଲା ଏବଂ ସେ ନିଜକୁ ଧନ୍ୟ ମନେକରିଥିଲେ ।

ଆଲବାନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ନାରାୟଣ ମୂର୍ତ୍ତି, ଅଲାରନାଥରେ ପ୍ରସିଦ୍ଧ ହୋଇଥିବା ଜଣାଯାଏ । ପ୍ରଭୁ ଅଲାରନାଥ ସିଂହାସନ ଆରୁଢ । ପୀତାମ୍ବର ବସ୍ତ୍ର, ଅଙ୍ଗରେ ଅଳଙ୍କାର ଓ ଶଂଖ-ଚକ୍ର-ଗଦା-ପଦ୍ମରେ ଚତୁର୍ଭୁଜ ସୁଶୋଭିତ । ଅଲାରନାଥଙ୍କ ଭୋଗ, ପୂଜା ଓ ନୀତି-କାନ୍ତି ବୈଷ୍ଣବୀୟ ପରମ୍ପରାରେ ସଂପାଦିତ ହୁଏ । ଶ୍ରୀଚୈତନ୍ୟ ମହାପ୍ରଭୁ ଅଲାରନାଥଙ୍କ ଠାରେ ଜଗନ୍ନାଥଙ୍କୁ ଦର୍ଶନ କରି, ଭାବମଗ୍ନ ହୋଇ ଖୁସିରେ ଗଡିଯାଇଥିଲେ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ଭକ୍ତ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ମାଦଳା ପାଂଜି ଅନୁସାରେ, ଗଙ୍ଗ ବଂଶଜ ନରପତି ରାଜା ମଦନ ମହାଦେବଙ୍କ ରାଜତ୍ୱ ସମୟରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାଦ୍ଦୀରେ ମନ୍ଦିରଟି ପ୍ରତିଷ୍ଠିତ ହୋଇଥିଲା ।