ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରା : ବଡ ଠାକୁରଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ପାଲଟିଛି ସଂପୂର୍ଣ୍ଣ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଗମ୍ଭିରା ଛାଡି ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

44

କନକ ବ୍ୟୁରୋ : ଆଜି ଘୋଷଯାତ୍ରା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର । ବର୍ଷକୁ ଥରେ ବଡ଼ ଠାକୁରଙ୍କ ଏହି ବଡ଼ଯାତ୍ରାରେ ସାମିଲ ହେବାକୁ ଲୋକଙ୍କ ମନରେ ରହିଛି ନାହିଁ ନଥିବା ଉତ୍ସାହ । ଜଗତର ନାଥଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ନିଆଯାଇଛି ତିନି ରଥକୁ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ଉତ୍ସବ ମୁଖର ହୋଇ ଉଠିଛି ବଡ଼ଦାଣ୍ଡ । ତିନି ଠାକୁର ବିଜେ ହେବା ପାଇଁ ସିଂହଦ୍ୱାର ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ।

ଅନ୍ୟପଟେ ନୂଆ ରୂପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା କରାଯାଇଛି । ଅଣସର ପିଣ୍ଡିରେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ପ୍ରାପ୍ତି ହୋଇ ଶ୍ରୀଜିଉ ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ସ୍ନାନଯାତ୍ରା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିଲେ ଶ୍ରୀଜିଉ । ମାନବୀୟ ଲୀଳା ଖେଳା ଭିତରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ୧୪ ଦିନ ଚିକିତ୍ସିତ ହେବା ପରେ ଠାକୁର ସୁସ୍ଥ ହୋଇଛନ୍ତି ।

ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ମହାପ୍ରଭୁଙ୍କୁ ବନକଲାଗି କରାଯାଇଥିଲା । ବିଳମ୍ବିତ ରାତିରେ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଥିଲେ । ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ଗତକାଲି ଭିତର କାଠରୁ ମହାପ୍ରଭୁଙ୍କ ନବଯୌବନ  ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳ ସାଢେ ୭ଟାରୁ ୯ଟା ପର୍ଯ୍ୟନ୍ତ ପାରିମାଣିକ ଦର୍ଶନ ଓ ପରେ ସାଢେ ୧୦ଟା ଯାଏଁ ସାହାଣମେଲା ଦର୍ଶନ ହୋଇଥିଲା । ଦିନ ପ୍ରାୟ ୩ଟା ସମୟରେ ଅନୁଷ୍ଠିତ ହୋଇଥିଲା ନେତ୍ର ଉତ୍ସବ । ସମୟ ଯେତିକି ଗଡୁଛି, ପୁରୀରେ ଭିଡ଼ ସେତିକି ବଢିବାରେ ଲାଗିଛି । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଘୋଷଯାତ୍ରା ପାଇଁ ସମଗ୍ର ପୁରୀ ଚଳଚଂଚଳ ହୋଇଉଠିଛି ।