ରଥଯାତ୍ରାର ଐତିହ୍ୟ ଓ ପରମ୍ପରା : କେତେ ପ୍ରାଚୀନ ପୁରୁଷୋତ୍ତମଙ୍କ ଏହି ପବିତ୍ରଯାତ୍ରା ?

127

ଦେବଦେବ ଜଗନ୍ନାଥଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ ଓ ସର୍ବପ୍ରାଚୀନ । ଉତ୍କଳର ଐତିହ୍ୟ ଓ ସଂସ୍କୃତି ସହିତ ଏହି ଯାତ୍ରା ଓତପ୍ରୋତଃ ଭାବେ ଜଡ଼ିତ । ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ଓଡିଶାର ସମସ୍ତ ପୂରପଲ୍ଲୀରେ ପାଳିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ଓଡିଶାର ଏକ ବଡ ପର୍ବ । ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ବାହାରକୁ ଚାଲିଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ସେଥିପାଇଁ ରଥଯାତ୍ରାକୁ କେବଳ ଭାରତବର୍ଷରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱର ସବୁଠାରୁ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବମାନଙ୍କରେ ଗୋଟିଏ ବୋଲି ବିଚାର କରାଯାଇଛି । ତେବେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।

rathajatra

ରଥଯାତ୍ରାର ଐତିହ୍ୟ ବିଷୟରେ ପ୍ରତ୍ନତାତ୍ୱିକମାନେ ବିଭିନ୍ନ ମତଦିଅନ୍ତି । କିଛି ପଣ୍ଡିତଙ୍କ ମତରେ ପ୍ରଥମେ ବୁଦ୍ଧଦେବଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ରଥଯାତ୍ରାର ସୃଷ୍ଟି ହୋଇଥିଲା । ଚୀନ ପରବ୍ରାଜକ ଫାୟିୟାନ୍ ବର୍ଣ୍ଣତ ପାଟଳୀପୁତ୍ରର ରଥଯାତ୍ରାରୁ ତଥ୍ୟ ନେଇ ଏହି ମତ ପ୍ରକାଶ କରିଥିଲେ କିଛି ପଣ୍ଡି । ତେବେ ଏହି ମତକୁ କିଛି ଐତିହାସିକ ଖଣ୍ଡନ କରନ୍ତି । ଫାୟିୟାନ ପାଟଳୀପୁତ୍ରରେ ଯେଉଁଦିନ ରଥଯାତ୍ରା ଦର୍ଶନ କରିବାର ବର୍ଣ୍ଣନା କରିଛନ୍ତି, ସେଦିନ କିନ୍ତୁ ଥିଲା ବୌଦ୍ଧ ପୂର୍ଣ୍ଣମୀ । କିନ୍ତୁ ବୁଦ୍ଧଦେବଙ୍କ ଉଦ୍ଦେଶ୍ୟରେ ଯେ ସେହଯାତ୍ରା ଅନୁଷ୍ଠିତ ହେଉଥିଲା ତାହାର କୌଣସି ପ୍ରମାଣ ବୌଦ୍ଧ ଧର୍ମ ଗ୍ରନ୍ଥ ଗୁଡ଼ିକରେ ମିଳେ ନାହିଁ ।

Rathajatra

ସୂଚନାଯୋଗ୍ୟ ବୁଦ୍ଧଦେବଙ୍କର ଅଭ୍ୟୁତଧାନ ବହୁ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ନୀଳମାଧବ ରୂପେ ପୂଜା ପାଉଥିଲେ । ସେତେବେଳେକୁ ବୈଷ୍ଣବ ଧର୍ମ ସାରା ଭାରତରେ ପ୍ରସାରିତ ହେଉଥିଲା । ରଥଯାତ୍ରା ଭାର ଇତିହାସର ଏକ ପୁରୁଣା ଉତ୍ସବ । ପ୍ରାଚୀନ ସର୍ବପ୍ରାଚୀନ ଶାସ୍ତ୍ର ଓ ବେଦ ମାନଙ୍କରେ ରଥର ଉଲ୍ଲେଖ ରହିଛି । ଓଙ୍ଗ଼ିଶରେ ପୁରୀରେ କେବଳ ରଥଯାତ୍ରା ସୀମିତ ନୁହେଁ । ଏହା ବ୍ୟତୀତ ବହୁପୂର୍ବ କାଳରେ ମିଶର, ମେସୋପୋଟାମିଆ ଓ ଇଉରୋପରେ ବିଭିନ୍ନ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେବାର ପ୍ରମାଣ ମିଳେ । ପରମ୍ପରାକ୍ରମେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭାରତ ବିଭିନ୍ନ କୋଣ ଅନୁକୋଣରୁ ନରନାରୀଙ୍କୁ ଏହି ପବିତ୍ର ଭୂମିକୁ ଆକର୍ଷିତ କଲେ ।

nandighosa ratha pulling
source-http://ercotravels.com/

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ଵ ଦେବଦେବୀ, ସଖୀ ଆଦିମୂର୍ତ୍ତି ଗୁଡ଼ିକ ପ୍ରତ୍ୟେକ ନବକଳେବର ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରାଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି । ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ଵାରା ଏହାର ମରାମତି କାର୍ୟ୍ୟ ହୋଇଥାଏ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ଵଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। ।

ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖସ୍ତ ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ବିଶ୍ୱବିଦିତ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ୟ୍ୟ ସଂପନ୍ନ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର ଶାସ୍ତ୍ରସମ୍ମତ ଧାରାକୁ ଲକ୍ଷ୍ୟ କଲେ ବ୍ୟାପାରଟି କେତେ ଜଟିଳ ଅଥଚ କେତେ ସୁସମନ୍ୱିତ ତାହା ହୃଦ୍ବୋଧ ହୁଏ । ବହୁ ପୁରାତନ କାଳରୁ ଏ ସମ୍ପର୍କିତ ବିଭିନ୍ନ କାର୍ୟ୍ୟ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି, ତଦନୁସାରେ ସମସ୍ତ କାର୍ୟ୍ୟ ସୁସଂପନ୍ନ ହୋଇଥାଏ । ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ୟ୍ୟନ୍ତ ସବୁ କାର୍ୟ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ ।

• ରଥକାଠ ପୁରୀରେ ପହଞ୍ଚିବା (ରଥଖଳରେ ଅନୁକୂଳ ପୂଜା) – ଶ୍ରୀପଞ୍ଚମୀ

• କାଠଚିରା – ଶ୍ରୀରାମ ନବମୀ

• ରଥନିର୍ମାଣ ଅନୁକୂଳ – ଅକ୍ଷୟ ତୃତୀୟା

• ଗୁଜ ଅନୁକୂଳ – ନୃସିଂହ ଚତୁର୍ଦ୍ଦଶୀ

• ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) – ଭଉଁରୀ ଦିନ

• ଚାରି ନାହକ ଡେରା ଅନୁକୂଳ – ଦେବସ୍ନାନ ପୂର୍ଣ୍ଣିମା

• ରଥଖଳାରୁ ସିଂହଦ୍ଵାର ଯାଏଁ ରଥଟଣା – ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ)