ସନ୍ଧ୍ୟା ଦର୍ଶନର ପୌରାଣିକ ଗାଥା! ଆଡ଼ପ ମଣ୍ଡପକୁ କାହିଁକି ଯଜ୍ଞବେଦୀ ଓ ମହାବେଦୀ କୁହାଯାଏ?

1

ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରିଥାନ୍ତି, ତାହାକୁ ‘ଆଡ଼ପ ମଣ୍ଡପ’ କୁହାଯାଏ । କିନ୍ତୁ ପୁରାଣ ମାନଙ୍କରେ ଏହି ମଣ୍ଡପକୁ ‘ଆଡ଼ପ ମଣ୍ଡପ’ ପରିବର୍ତ୍ତେ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ଭକ୍ତ ସମାଜ ସେଠାରେ ସମବେତ ହେବାପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣନା ରହିଅଛି ।

ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ଅଟେ । ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶବର୍ଷ ପର୍ଯ୍ରନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହ ମାନଙ୍କର ଦର୍ଶନରେ ଯେଉଁଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷ କରି ରାତ୍ରିକାଳୀନ ଦର୍ଶନରେ ଭକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ ।

ସେହିପରି ଜନସାଧାରଣରେ ବହୁଳ ପ୍ରଚାରିତ ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ’ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କୁ ଦର୍ଶନ, ଦୀପ ପ୍ରଜ୍ଜଳନ, ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିଥିବା ଜଣାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇଆସୁଛି । ଉକ୍ତ ନବମୀ ତିଥିରେ ଶ୍ରୀବଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି । ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ ।

ନବମୀ ସନ୍ଧ୍ୟା ଦର୍ଶନ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ଥିବାରୁ ମନ୍ଦିର ପ୍ରଶାସନ ତରଫରୁ ରାତ୍ରିରେ ଏକ ନିର୍ଦ୍ଦିଷ୍ଟ ସମୟରୁ ମନ୍ଦିର ଭିତରକୁ ପ୍ରବେଶ ନେଇ କଟକଣା କରାଯାଇଥାଏ । ଉକ୍ତ ଦିନ ଠାକୁରମାନଙ୍କ ବଡ଼ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକ ମାନେ ବାହାରକୁ ଆସିଥାନ୍ତି । ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାଳମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି ।

Comments are closed.