ରଥଯାତ୍ରାର କେତେକ ବିଶେଷ ନୀତି

178

ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ଓଡିଶାର ସମସ୍ତ ପୂରପଲ୍ଲୀରେ ପାଳିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ଓଡିଶାର ଏକ ବଡ ପର୍ବ । ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ବାହାରକୁ ଚାଲିଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ସେଥିପାଇଁ ରଥଯାତ୍ରାକୁ କେବଳ ଭାରତବର୍ଷରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱର ସବୁଠାରୁ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବମାନଙ୍କରେ ଗୋଟିଏ ବୋଲି ବିଚାର କରାଯାଇଛି । ତେବେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।

ନବଯୌବନ ଦର୍ଶନ-

ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ କରିଥାନ୍ତି । ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ । ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ଵରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ଵରୀଙ୍କ ପାର୍ଶ୍ଵରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି । କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ଵର ରୋଗରେ ପୀଡିତ ହୋଇଥାନ୍ତି । ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କଦ୍ଵାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ଵର ରୋଗ ଭଲ ହୋଇଥାଏ । ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି ।

ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ । ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ । ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି୮ ନୀତି ବଢିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ । ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି । ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ନିମିତ୍ତ ପରିମାଣିକ ଟିକେଟ କିଣିଥିବା ଦର୍ଶନାର୍ଥୀମାନଙ୍କୁ ପ୍ରଥମେ ଜଗମୋହନ ଭିତରକୁ ଛଡା଼ ଯାଇଥାଏ । ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ଚାଲିବା ପରେ ଜନସାଧାରଣଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ । ଉକ୍ତ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ହୋଇଥାଏ ।

ଶ୍ରୀଗୁଣ୍ଡିଚା-

ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡିକ ଅପରାହ୍ନରେ ଟଣା ହୋଇ ସିଂହଦ୍ଵାରଠାରେ ରଖାଯାଇଥାଏ । ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ୟ୍ୟ ଶେଷ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ୟ୍ୟ ପୂଜା, ଦ୍ଵାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କଦ୍ଵାରା ସମାପିତ ହୋଇଥାଏ । ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡି ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ ।

ପହଣ୍ଡି ବିଜେ-

ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ପ୍ରାଚୀନ କାଳରୁ ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି । ପହଣ୍ଡି ଶବ୍ଦଟି ସଂସ୍କୃତରେ ପାଦହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ପହଣ୍ଡି କୁହାଯାଏ ।  ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୂଖ୍ୟ ଯାତ୍ରା ଯଥା ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀବିଗ୍ରହମାନେ ପହଣ୍ଡି ବିଜେ କରିଥାନ୍ତି । ଏହି ଦୁଇ ଯାତ୍ରାରେ ସର୍ବ ମୋଟ ଛଅ ଥର ପହଣ୍ଡି ହୋଇଥାଏ ।

ମହାପ୍ରଭୁମାନଙ୍କର  ଛଅଗୋଟି ପହଣ୍ଡି ମଧ୍ୟରୁ ତିନି ଥର ଗୋଟି ପହଣ୍ଡି ଓ ତିନି ଥର ଧାଡି ପହଣ୍ଡି ହୋଇଥାଏ । ଶ୍ରୀବିଗ୍ରହମାନଙ୍କ ସମସ୍ତ ବିଜେ ସମୟର ଧାଡି ପହଣ୍ଡି ଓ ବାହୁଡା଼ ବିଜେଗୁଡିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । କିନ୍ତୁ ଧାଡି ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି । ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସମ୍ପନ୍ନ ହୋଇଥାଏ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ ।

ଛେରାପହଁରା ସେବା-

ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଛେରାପହଁରା ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥାଏ । ଐତିହାସିକ, ପ୍ରାବନ୍ଧିକ ଓ ଗବେଷକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା ଛେରାପହଁରା ସେବା । ଛେରା ଓପହଁରା ଦୁଇଟି ଶବ୍ଦର ମିଶ୍ରଣରେ ଛେରାପହଁରା ସୃଷ୍ଟି । ଛେରା ଶବ୍ଦର ଅର୍ଥ ତରଳତା, ଯାହା ବଳଳିଆ ଘୋରା ଚନ୍ଦନକୁ ବୁଝାଏ । ପହଁରା ଶବ୍ଦର ଅର୍ଥ ଓଳାଇବା ।

ଗଜପତି ମହାରାଜଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟି ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ । ତିନି ରଥ ଉପରେ ଶ୍ରୀ ବିଗ୍ରହକଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ, ସୋଲ ଚିତା, ରୁନ୍ଧା ନୀତି ବଢ଼ିବା ପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ ଲାଗିହୋଇଥାଏ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧୀକାରୀ, ଶ୍ରୀମନ୍ଦିର କମାଣ୍ଡର ଆଦି ସମସ୍ତେ ବିଦ୍ଧିବଦ୍ଧ ଭାବେ ଗଜପତି ମହାରାଜଙ୍କୁ ଛେରାପହଁରା ସେବା କରିବା ପାଇଁ ଖବର ପଠାଇଥାଆନ୍ତି । ଖବର ପାଇବା ସଙ୍ଗେ ସଙ୍ଗେ ଗଜପତି ମହାରାଜା ଧଳା ରଙ୍ଗର ଚୁଡ଼ିଦାର, କୁର୍ତ୍ତା, ପଗଡ଼ି, ଖଣ୍ଡା ଇତ୍ୟାଦି ପିନ୍ଧି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସନ୍ତି । ଉକ୍ତି ଦିନ ଛେରାପହଁରା ନୀତି ସରିବା ଯାଏ ଗଜପତି ମହାରାଜ ଉପବାସ ରୁହନ୍ତି ।

ଶ୍ରୀନଅରକୁ ବିଜେ କରିବା ସମୟରେ ବେହେରା ଖୁଣ୍ଟିଆ ଆଗରେ ଥାଆନ୍ତି । ଆଉ ସେହି ସମୟରେ କାହାଳୀ ଓ ବଳନ୍ତରୀ ବାଦ୍ୟ ବଜାଯାଏ । ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆନଖୁ ଆସୁଥିବାବେଳେ ବଡ଼ ଦାଣ୍ଡରେ ଭକ୍ତ ହୁଳହୁଳି ଓ ହରିବୋଲ ଦେଇ ଠାକୁରଙ୍କ ଜୟଜୟକାର କରନ୍ତି ।

ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି । ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି । ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି । ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ । ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି ।

ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କରଥ ଉପରେ ଛେରା ପହଁରା ସରିଥାଏ । ଛେରାପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି ।  ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି । ଅତୀତରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ନିମିତ୍ତ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରୁଥିଲେ ।

ରଥଟଣା-

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ଶେଷ କରିବା ପରେ ରଥରୁ ଚାରମାଳ(ତାଳ ଓ ନଡିଆ ଗଛ କାଠରେ ଚାରମାଳ ପ୍ରସ୍ତୁତ ହୋଇଥାଏ) ଭୋଇ ସେବକମାନଙ୍କ ସହାୟତାରେ ଖୋଲାଯାଇଥାଏ । ତା’ପରେ ସାରଥି ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବାନ୍ଧି ଥାଆନ୍ତି । ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ ୪ ଟି ଲେଖାଏଁ ଦଉଡି ଲାଗିଥାଏ । ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ତାହାର ଦଉଡି । ଏହି ପବିତ୍ର ଦଉଡିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି । ଗତ କିଛିବର୍ଷ ଧରି ଏହି ଦଉଡି ରାଜ୍ୟ କେରଳ କଏର୍ ନିଗମରୁ ଆଣାଯାଉଛି । ପୂର୍ବରୁ କଲିକତାର କଏର୍ ବୋର୍ଡ ଏହି ଦଉଡି ଯୋଗାଉଥିଲା । ଦଉଡିର ମାପ ଓ ସଂଖ୍ୟା ନିମ୍ନରେ ଦିଆଯାଇଛି

(୧) ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ ଲମ୍ବର ୧୨ ଗୋଟି ଦଉଡି ତିନି ରଥ ଲାଗି ଦରକାର ହୋଇଥାଏ ।

(୨) ୩ ଇଞ୍ଚ ଗୋଲେଇ ବିଶିଷ୍ଟ ୪୫୯ ଫୁଟ ଲମ୍ବର ଦଉଡି ରଥ ଘେର ଲାଗି ଦରକାର ହୁଏ ।

(୩) ୨୨୦ ଫୁଟ ଲମ୍ବର ଏକଗୋଟି ଦଉଡି ଜରୁରୀ କାର୍ଯ୍ୟପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।