ରଥରେ ଲାଗେ ସୋଲର କଦମ୍ବ ଫୁଲ ! ମହାପ୍ରଭୁଙ୍କ ପାଇଁ କିଏ ତିଆରି କରେ ଏହି ଫୁଲ ?

104

ପ୍ରତିବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲେ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ପ୍ରସ୍ତୁତି । ସେହି କ୍ରମରେ ଖୋର୍ଦ୍ଧାର ରାଉତପଡ଼ାରୁ ତିନି ଠାକରୁଙ୍କ ପାଇଁ ପାଟବସ୍ତ୍ର ଗଲା ଭଳି ତିନି ରଥକୁ ଅଧିକ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ସୋଲରେ ତିଆରି କଦମ୍ବ ଫୁଲ ମଧ୍ୟ ପଠାଯାଇଥାଏ ଖୋର୍ଦ୍ଧା ଗୁରୁଜଙ୍ଗର ଭୋଇ ପରିବାରରୁ । ୨୦୦୪ ମସିହାରୁ ତିନି ରଥରେ ଫୁଲ ଲାଗି କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନରୁ ଅନୁମତି ପାଇଥିବା ଏହି ଗାଁର ରାଜ କିଶୋର ନାୟକଙ୍କ ପରିବାର ସମ୍ପ୍ରତି ସୋଲ ଫୁଲ ତିଆରି କରିବା ପାଇଁ ରାତି ଦିନ ଏକ କରିଦେଇଛନ୍ତି । ରାଜ କିଶୋର ଏବଂ ତାଙ୍କ ଭାଇ ବୀର କିଶୋରଙ୍କ ସହ ପରିବାରର ଅନ୍ୟମାନେ ଅତି ନିଷ୍ଠାର ସହ ଏହି ସୋଲ ଫୁଲ ତିଆରି କରିବାରେ ଲାଗି ପଡ଼ିଛନ୍ତି ।

ସୂଚନା ଥାଉ କି, ଏହି କୃତ୍ରିମ କଦମ୍ବ ଫୁଲର ମୁଖ୍ୟ ଉପାଦାନ ସୋଲକୁ ସେମାନେ କାର୍ତ୍ତିିକ ମାସରୁ ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ପିପିଲି ଏବଂ କୋଣାର୍କ ଆଦି ଅଞ୍ଚଳରୁ ସଂଗ୍ରହ କରି ଆଣିଥାନ୍ତି । ତା’ପରେ ତା’କୁ ଖରାରେ ଶୁଖାଇ ଛୋଟ ଛୋଟ ଖଣ୍ଡ କରି ସାଇତି ରଖିଥାଆନ୍ତି । ଅକ୍ଷୟ ତୃତୀୟାଠାରୁ ପୁରୀ ବଡ଼ଦାଣ୍ଡରେ ରଥକାମ ଆରମ୍ଭ ହେବା ଦିନଠାରୁ ରାଜକିଶୋର ତାଙ୍କ ଛୁରୀ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ ପୂଜା କରି ସୋଲର କଦମ୍ବ ଫୁଲ ଗଢ଼ିିବା ଅନୁକୂଳ କରିଥାଆନ୍ତି । ସେହିଦିନଠାରୁ ସାରା ପରିବାର ନୀତି ନିଷ୍ଠା ମାନି ଏହି କାର୍ଯ୍ୟରେ ନିୟୋଜିତ ହୋଇଥାଆନ୍ତି । ସମସ୍ତେ ଅରୁଆ ଏବଂ ନିରାମିଷ ଭୋଜନ କରି ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମରେ ସୋଲରେ କଦମ୍ବ ଫୁଲ ଫୁଟାଇଥାଆନ୍ତି । ତାହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫୁଲ ମଝିରେ ଗୋଟିଏ ଗୋଟିଏ ଚୁମୁକି ଲଗାଯାଇଥାଏ ।

ଅକ୍ଷୟ ତୃତୀୟା ଦିନଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଫୁଲ ତିଆରି ଚାଲିଥାଏ । ନେତ୍ର ଉତ୍ସବ ଦିନ ରାଜ କିଶୋର ଓ ତାଙ୍କ ଭାଇ ବୀର କିଶୋର ନିଜେ ଫୁଲତକ ନେଇ ମନ୍ଦିର କାର୍ଯ୍ୟାଳୟରେ ସମର୍ପି ଦେବା ପରେ ରଥରେ ନିଶୁଣି ଲଗାଇ ଫୁଲଗୁଡ଼ିକ ସୁନ୍ଦର ଭାବେ ଖଞ୍ଜାଯାଇଥାଏ । ବଡ଼ଦାଣ୍ଡରେ ରଥଗୁଡ଼ିକ ନାଲି, ହଳଦିଆ ଓ ସବୁଜ ରଙ୍ଗର କନାରେ ଆବୃତ୍ତ ହୋଇଥିବା ବେଳେ ତାହା ଉପରେ ରାଜକିଶୋରଙ୍କ ହାତ ତିଆର ଧଳା ରଙ୍ଗର ସୋଲ ଫୁଲ ବେଶ୍‌ ମନଲୋଭା ଦେଖାଯାଏ । ଦୀର୍ଘ ପନ୍ଦର ବର୍ଷ ହେଲା ତିନି ରଥରେ ଚଢ଼ି ରଥକୁ ସୁନ୍ଦର କରିବାର ସୁଯୋଗ କେବଳ ରାଜକିଶୋର ଓ ତାଙ୍କ ପରିବାର ଭାଗ୍ୟରେ ଜୁଟିଛି ।

ତିନି ଠାକରୁଙ୍କର ଏହି ଅନନ୍ୟ ସେବାର ସୁଯୋଗ ପାଇଥିବାରୁ ସେମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ଏହି ଫୁଲ ତିଆରି ପାଇଁ ସେ କାହାଠାରୁ କୌଣସି ତାଲିମ ନେଇନାହାନ୍ତି କି ଏଥିପାଇଁ କୌଣସି ପାରିଶ୍ରମିକ ସରକାର କିମ୍ବା ଶ୍ରୀଜଗନ୍ନାଥ ପ୍ରଶାସନ ପାଖରୁ ପାଇନାହାନ୍ତି । କେବଳ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ସେମାନଙ୍କୁ ସୋଲ ଫୁଲ ପ୍ରସ୍ତୁତିରେ ସାହା ହୋଇଥାଏ ବୋଲି ରାଜକିଶୋର କହିଛନ୍ତି । ଅପରପକ୍ଷେ, ପୂର୍ବରୁ ତିନି ରଥରେ ସେମାନେ ବହୁସଂଖ୍ୟାରେ ସୋଲ ଫୁଲ ଲଗାଉଥିଲେ । ମାତ୍ର ଏବେ ସୋଲ ସଂଗ୍ରହ ପାଇଁ ଅର୍ଥାଭାବ ଯୋଗୁଁ ଯଥେଷ୍ଟ ସଂଖ୍ୟାରେ ଫୁଲ ତିଆରି କରିପାରୁନଥିବାରୁ ରାଜକିଶୋରଙ୍କ ମନରେ ଅବସୋସ ରହିଯାଉଥିବା ସେ କହିଛନ୍ତି ।