ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ପ୍ରାକ୍‌ ପ୍ରସ୍ତୁତି : ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ୩୨୦ ଅଧିକାରୀ ଓ କର୍ମଚାରୀ, ଗୁଳୁଗୁଳି ହେଲେ ପାଣି ଛିଞ୍ଚିବାକୁ ୬ଟି ଦମକଳ ଗାଡ଼ି

103

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାଞ୍ଚ ସୂତ୍ରୀ ବିପର୍ଯ୍ୟୟ ପରିଚାଳନା ତାଲିକା ପ୍ରସ୍ତୁତ କରାଯାଇଛି । ଜୁଲାଇ ୧୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭାଗର ପ୍ରାୟ ୩୨୦ ଅଧିକାରୀ ଓ କର୍ମଚାରୀ ଭକ୍ତମାନଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଅଗ୍ନିଶମ ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି । ରଥଯାତ୍ରା ସମୟରେ କୌଣସି ଅଗ୍ନିକାଣ୍ଡ ଦୁର୍ଘଟଣାକୁ ଏଡାଇବା ପାଇଁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ୍‌, ବଡ଼ଦାଣ୍ଡର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଦମକଳ ସହିତ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚତୀର୍ଥ ବା ପବିତ୍ର ଜଳାଶୟଗୁଡ଼ିକୁ ସୁରକ୍ଷାବଳୟ ମଧ୍ୟରେ ରଖାଯିବ ।

ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ରୋହିଣୀ କୁଣ୍ଡ, ମାର୍କଣ୍ଡେୟ ପୁଷ୍କରିଣୀ ଓ ସମୁଦ୍ର କୂଳରେ ୨୪ଘଣ୍ଟିଆ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ରହିବେ । ସେଠାରେ ପାଓ୍ଵାର ବୋଟ୍‌, ଅଣ୍ଡର ଓ୍ଵାଟର ସ୍କୁବା ଡାଇଭର ଏବଂ ଅନ୍ୟ ଉଦ୍ଧାରକାରୀ ଉପକରଣ ସହ କର୍ମଚାରୀମାନେ ଡ୍ୟୁଟି କରିବେ । ସେହିପରି ସମୁଦ୍ର କୂଳରେ ଯେପରି ଭକ୍ତମାନେ କୌଣସି ଦୁର୍ଘଟଣାର ଶିକାର ନହୁଅନ୍ତି, ସେଥିପାଇଁ ସ୍ଥାନୀୟ ପ୍ରାୟ ୧୦୦ ନୋଳିଆଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ସହିତ ପ୍ରାୟ ୫୦ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ପାଇଁ ରହିବେ। ଏଥିସହିତ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ସଂପର୍କରେ ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ସଚେତନ କରାଯିବ ।

ନୋଳିଆ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲାବେଳେ ସମୁଦ୍ରର ଅଧିକ ଭିତରକୁ ନପଶିବା ପାଇଁ ଭକ୍ତଙ୍କୁ ବାରଣ କରିବାକୁ ହୁଇସିଲ୍‌ ଯୋଗାଇ ଦିଆଯିବ । ରଥଯାତ୍ରା ସମୟରେ ଯଦି ଅଧିକ ଗୁଳୁଗୁଳି କିମ୍ବା ଗରମ ଅନୁଭୂତ ହୁଏ, ତହେଲେ ଭକ୍ତଙ୍କ ଉପରେ ପାଣି ଛିଞ୍ଚିବା ପାଇଁ ମଧ୍ୟ ଏକ ଟିମ୍‌ ଗଠନ କରାଯାଇଛି । ବଡ଼ଦାଣ୍ଡରେ ମୋଟ ୬ଟି ଦମକଳ ଗାଡ଼ି ନିୟୋଜିତ ରହି ପାଣି ଛିଞ୍ଚିବେ । ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଏହି ଟିମ୍‌ର ଦାୟିତ୍ୱ ଅଧିକ ରହିବ । ଏସବୁ ବ୍ୟତୀତ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ଯୋଜନା କରାଯାଇଛି । ଯଦି ବର୍ଷା ହୁଏ ତାହେଲେ ବଡ଼ଦାଣ୍ଡରେ ପାଣି ଜମି ରହିବା ଭଳି ସ୍ଥିତି ସୃଷ୍ଟି ହେବ । ପୂର୍ବ ବର୍ଷମାନଙ୍କରେ ଏହା ରଥଯାତ୍ରା ପରିଚାଳନାର ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଖାଲୁଆ ସ୍ଥାନରେ ବଡ଼ଦାଣ୍ଡ ଥିବାରୁ ବର୍ଷା ପାଣି ନିଷ୍କାସନ ହେବା ବଡ଼ ଚାଲେଞ୍ଜ ହୋଇପଡ଼ିଛି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଟି ହାଇ ପ୍ରେସର୍‌ ପମ୍ପ ଲଗାଯାଉଥିବା ସୂଚନା ମିଳିଛି ।