ଜଗନ୍ନାଥ ମନ୍ଦିରରେ ବଳଭଦ୍ର, ସଭଦ୍ରା ଓ ଜଗନ୍ନାଥଙ୍କ ପାଖରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଲାଗିହୁଏ । ଶ୍ରୀମନ୍ଦିରରେ ଥିବା ଗଙ୍ଗା ଯମୁନା ନାମକ ଦୁଇ କୂଅର ଜଳରେ ରୋଷଇ ହୁଏ ଭଗବାନଙ୍କ ଭୋଗ । ତେବେ ରଥଯାତ୍ରା ସମୟରେ ରଥରେ ତିନି ଠାକୁର ଥିବାବେଳେ ତାଙ୍କୁ ଭିନ୍ନ ଭୋଗ ଲଗାଯାଏ । ତିନି ଠାକୁର ରଥରେ ଉପବିଶନ କରିଥିବା ବେଳେ ତାଙ୍କ ପାଖରେ ଲାଗି ହୁଏ ଶୁଖିଲା ଭୋଗ ।

rathajatra

ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ । ଗୋପାଳବଲ୍ଲବ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ତିନି ଠାକୁରଙ୍କ ପାଇଁ ସ୍ଵତନ୍ତ୍ର ଆକାରର ଶ୍ରୀମନ୍ଦିରରେ ନି ରଥ କୋରା ତିଆରି ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ। ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡ଼ିକୁ ସମାପନ କରିଥାନ୍ତି ।

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗ ଗୁଡିକ ମଧ୍ୟରେ ବଡ଼ ସାନ ମନୋହର, ପଶୁପାଳନ କାକର, ତାଟ ବାବଦ ନାଡି, ଗଜା ବଡ଼ ସାନ, ଟାକୁଆ, ଫେଣି, କକରା,ଡାଳିମ୍ବ, ଟାକୁଆ ସାନ ସରା, ଗଜା ସୁଆର ନଡୁ- ଓ କାକରା ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା, ଖଇ, ବଡ଼ କାକରା, ଉଠା କାକର, ମହା ପ୍ରଶସ୍ତ ମନହର, ବଡ଼ ଅମାଲୁ , ସାନ ଅମାଲୁ , ମାଣ୍ଡୁଅ, ଟାକୁଆ, ଟାକୁଆ, ରଥ ମନହର , ମରିଚ ନଡୁ ଉଲ୍ଲେଖ ଥିବା ଜଣାଯାଏ । ଅନେକ ବର୍ଷ ପୂର୍ବରୁ ଏପରିକି ସ୍ଵତ୍ତ୍ଵଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ । ବର୍ତ୍ତମାନ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ୟ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି ।