ଜୋରସୋରରେ ଚାଲିଛି ରଥନିର୍ମାଣର ଅନ୍ତିମକାର୍ଯ୍ୟ : କାମ ଶେଷ କରିବା ପାଇଁ ତତ୍ପର କାମ ରୂପକାର ସେବକ

36

କନକ ବ୍ୟୁରୋ : ରଥ ନିର୍ମାଣର ଶେଷ କାର୍ଯ୍ୟ ପ୍ରଭା ଖୋଦେଇ କାର୍ଯ୍ୟକୁ ମହାରଣା ସେବକ, ରୂପକାର ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ଆଗେଇ ନେଇଛନ୍ତି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଭା ସଂଯୋଗ ପୂର୍ବରୁ ଏଥିରେ ନୃସିଂହ ମୂର୍ତି ଖୋଦେଇ କାମ ଆରମ୍ଭ ହୋଇଛି । ରୂପକାର ସେବକମାନେ ଏହି କାମକୁ ଶେଷ କରିବାରେ ତତ୍ପରତା ଦେଖାଇଛନ୍ତି । ପ୍ରଭାରେ ଖୋଦେଇ କାମ ଶେଷ ପରେ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ଏହାକୁ ତିନି ରଥରେ ସଂଯୋଗ କରାଯିବ ।

ଏଣୁ ଏକାଧିକ ରୂପକାର ସେବକ ଏହି କାମରେ ନିୟୋଜିତ ଅଛନ୍ତି । ସେପଟେ ଦୁଆର ପାଣିଆ କାମ ଆଗେଇ ଚାଲିଛି । ଚିତ୍ରକର ସେବକମାନେ ଏହି କାର୍ଯ୍ୟକୁ ଶେଷ କରିବା ପାଇଁ ତତ୍ପରତା ଦେଖାଉଛନ୍ତି । ଇତି ଭିତରେ ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘୋଡ଼ାକୁ ବି ରଙ୍ଗ ଦିଆସରିଛି । ରଥରେ ମଧ୍ୟ ରଙ୍ଗ ଦିଆ କାମ ଆଗେଇ ଚାଲିଛି । କୋଣଗୁଜରେ ନିର୍ମିତ ନୃସିଂହ ମୂର୍ତି ଓ ପଟାଗୁଜରେ ରଙ୍ଗ ଦିଆ କାମ ଆଗେଇ ଚାଲିଛି । କମାର ସେବକମାନେ ପ୍ରଭା ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ କରୁଛନ୍ତି ।