ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଛେରାପହଁରା ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥାଏ । ଐତିହାସିକ, ପ୍ରାବନ୍ଧିକ ଓ ଗବେଷକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା ଛେରାପହଁରା ସେବା । ଛେରା ଓପହଁରା ଦୁଇଟି ଶବ୍ଦର ମିଶ୍ରଣରେ ଛେରାପହଁରା ସୃଷ୍ଟି । ଛେରା ଶବ୍ଦର ଅର୍ଥ ତରଳତା, ଯାହା ବଳଳିଆ ଘୋରା ଚନ୍ଦନକୁ ବୁଝାଏ । ପହଁରା ଶବ୍ଦର ଅର୍ଥ ଓଳାଇବା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗଜପତି ମହାରାଜଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟି ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ । ତିନି ରଥ ଉପରେ ଶ୍ରୀ ବିଗ୍ରହକଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ, ସୋଲ ଚିତା, ରୁନ୍ଧା ନୀତି ବଢ଼ିବା ପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ ଲାଗିହୋଇଥାଏ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧୀକାରୀ, ଶ୍ରୀମନ୍ଦିର କମାଣ୍ଡର ଆଦି ସମସ୍ତେ ବିଦ୍ଧିବଦ୍ଧ ଭାବେ ଗଜପତି ମହାରାଜଙ୍କୁ ଛେରାପହଁରା ସେବା କରିବା ପାଇଁ ଖବର ପଠାଇଥାଆନ୍ତି । ଖବର ପାଇବା ସଙ୍ଗେ ସଙ୍ଗେ ଗଜପତି ମହାରାଜା ଧଳା ରଙ୍ଗର ଚୁଡ଼ିଦାର, କୁର୍ତ୍ତା, ପଗଡ଼ି, ଖଣ୍ଡା ଇତ୍ୟାଦି ପିନ୍ଧି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସନ୍ତି । ଉକ୍ତି ଦିନ ଛେରାପହଁରା ନୀତି ସରିବା ଯାଏ ଗଜପତି ମହାରାଜ ଉପବାସ ରୁହନ୍ତି ।
ଶ୍ରୀନଅରକୁ ବିଜେ କରିବା ସମୟରେ ବେହେରା ଖୁଣ୍ଟିଆ ଆଗରେ ଥାଆନ୍ତି । ଆଉ ସେହି ସମୟରେ କାହାଳୀ ଓ ବଳନ୍ତରୀ ବାଦ୍ୟ ବଜାଯାଏ । ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆନଖୁ ଆସୁଥିବାବେଳେ ବଡ଼ ଦାଣ୍ଡରେ ଭକ୍ତ ହୁଳହୁଳି ଓ ହରିବୋଲ ଦେଇ ଠାକୁରଙ୍କ ଜୟଜୟକାର କରନ୍ତି ।
ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି । ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି । ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି । ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ । ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି ।
ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କରଥ ଉପରେ ଛେରା ପହଁରା ସରିଥାଏ । ଛେରାପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି । ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି । ଅତୀତରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ନିମିତ୍ତ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରୁଥିଲେ ।