ସୁବର୍ଣ୍ଣପୁରରେ ୧୨ ଦିନ ଧରି ଚାଲେ ରଥଯାତ୍ରା ! ମୁଖ୍ୟ ଆକର୍ଷଣ ସୁନା ଓ ରୂପାର ଗହଣା ସାଙ୍ଗକୁ ସୁଉଚ୍ଚ ଗୁଣ୍ଡିଚା ମନ୍ଦିର

44

କନକ ବ୍ୟୁରୋ : ପାଖେଇ ଆସିଲାଣି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ପୁରୁଷୋତମ କ୍ଷେତ୍ରରୁ ପାତାଳୀ କ୍ଷେତ୍ର ଯାଏଁ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା କରାଯାଏ । ଶ୍ରୀକ୍ଷେତ୍ରରେ ୯ ଦିନ ଧରି ରଥଯାତ୍ରା ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁରରେ ରାଜା ରାଜୁଡା ଅମଳରୁ ଏହି ଯାତ୍ରା ୧୨ ଦିନ ଧରି ପାଳନ କରାଯାଏ ।

ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ ସୁବର୍ଣ୍ଣପୁର । ଜିଲ୍ଲାରେ ଏହି ସଂସ୍କୃତିର ମହକ ଟିକେ ନିଆରା । ଦେବସ୍ନାନ ଯାତ୍ରା, ନେତ୍ରୋତ୍ସବ ହେଉ ଅବା ରଥଯାତ୍ରା, ପ୍ରତିଟି ଉତ୍ସବ ଭିନ୍ନ ଭାବରେ ପାଳିତ ହୁଏ । ସବୁଠି ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ନଅ ଦିନ ଧରି ପାଳିତ ହେଉଥିବା ବେଳେ ସୁବର୍ଣ୍ଣପୁରରେ ରାଜା ରାଜୁଡା ଅମଳରୁ ପାଳିତ ହେଉଥିବା ଏହି ଯାତ୍ରା ୧୨ ଦିନ ଧରି ଚାଲେ । ଆଉ ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଗଡଜାତ ଅମଳର ସୁନା ଓ ରୁପାର ଗହଣା ସାଙ୍ଗକୁ ସୁଉଚ୍ଚ ଗୁଣ୍ଡିଚା ମନ୍ଦିର । ରଥଯାତ୍ରା ପାଇଁ ଜିଲ୍ଲା ଦେବୋତ୍ତର ବିଭାଗ ଓ ରଥଯାତ୍ରା କମିଟି ପକ୍ଷରୁ ରଥ ନିର୍ମାଣ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି ।

ରଥଯାତ୍ରା ଦିନ ପାତାଳି କ୍ଷେତ୍ରରେ ଶ୍ରୀଜିଉମାନଙ୍କୁ କୋଶବ୍ୟାପୀ ଧାଡି ପହଣ୍ଡି କରାଯାଏ । ଗଡଭିତର ଜଗନ୍ନାଥ ମନ୍ଦିରରୁ ମଝିପଡା ରଥଖଳା ଯାଏଁ ସେବାୟତମାନେ ପହଣ୍ଡିରେ ବିଗ୍ରହଙ୍କୁ ରଥାରୁଢ କରିଥାନ୍ତି । ପରେ ୨ ଦିନ ଧରି ଧରି ଭକ୍ତମାନେ ଶ୍ରୀଜିଉମାନଙ୍କ ରଥକୁ ମଝିପଡା, ବଡବଜାର ଦେଇ ଗୁଣ୍ଡିଚା ମନ୍ଦିରକୁ ଟାଣିବାର ସୌଭାଗ୍ୟ ଲାଭ କରନ୍ତି । ସେହିପରି ବାହୁଡା ଯାତ୍ରାରେ ୩ ଦିନ ଧରି ରଥଟଣା ପରେ ଶ୍ରୀଜିଉମାନେ ଦେଉଳକୁ ଫେରିଥାନ୍ତି । ଆଉ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉ ୯ ଦିନ ଧରି ରହିବା ସମୟରେ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି ।

କାହିଁ କେଉଁ କାଳରୁ ପାତାଳୀ କ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ସହ ପୁରୀ ପୁରୁଷୋତମ ଧାମର ଏକ ଭାବଗତ ସଂପର୍କ ରହିଛି । ସୋନପୁର ସହର ସମେତ ଗାଁ ଗହଳିରେ ଥିବା ପ୍ରାୟ ୨ଶହ ଜଗନ୍ନାଥ ଓ ଦଧିବାମନ ପୀଠରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି କରାଯାଉଛି ।