ରଥ ଉପରେ ଠାକୁରମାନଙ୍କ ପାଖରେ କାହିଁକି ଲାଗିହୁଏ ନାହିଁ ଶଙ୍ଖୁଡ଼ି ଭୋଗ ?

139

ରଥରେ ମହାପ୍ରଭୁ ବିଜେ କରିଥିବା ସମୟରେ କୌଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଏ ନାହିଁ । ଏ ବିଷୟରେ ପୂରାଣରେ ସ୍ପଷ୍ଟ ଭାବରେ ଲେଖାଯାଇଛି । ମହାପ୍ରଭୁ ମାନଙ୍କ ପାଖରେ ଯେତେବେଳେ ଭୋଗ ଲାଗି କରାଯାଏ, ତା’ର ଯଥେଷ୍ଟ ପୂର୍ବରୁ ଘଣ୍ଟ ବଜାଯାଇଥାଏ । ଏହି ଘଣ୍ଟ ବାଜିବା ଦ୍ୱାରା ସେଠାରେ ପାଖଆଖରେ ଉପସ୍ଥିତ ଥିବା ଅଶରୀରି ତଥା ଆତ୍ମାମାନେ ସେ ଅଂଚଳ ଛାଡ଼ି ପଳାନ୍ତି ବୋଲି ବିଶ୍ୱାସ ରହିଛି । ଏହାଛଡା ଭୋଗ ହେବା ପୂର୍ବରୁ ଠାକୁରମାନଙ୍କ ପାଖରେ ଠା ପଡେ । ଠାର ଅର୍ଥ ଗର୍ଭ ଗୃହରେ ଠାକୁରମାନଙ୍କ ଆଗରେ ଅଟାରେ ୪ ଟି ଗାର ପକାଯାଏ । ଏହାପରେ ପାଣି ଓ ପୀଢା ଦିଆଯାଏ । ବାହାରେ ଏତିକି ବେଳେ ଘଣ୍ଟ ବଜାଯିବାର ବିଧି ରହଛି ।

rathajatra
image courtesy-https://www.pixoto.com/

ପ୍ରଥମେ ଭୋଗ ଆସିବା ରାସ୍ତାରେ ପବିତ୍ରପାଣି ପକାଯାଏ । ଏହାପରେ ସେବାୟତମାନେ ନିଜର ମୁଖରେ ଗାମୁଛା ବାନ୍ଧି ଭୋଗ ଆଣିଥାଆନ୍ତି । ପରେ ଭୋଗ ଲାଗି କରାଯାଏ । ଏହି ସମୟରେ ପୂଜାପଣ୍ଡାମାନେ ଭିତରେ ଭୋଗ ଲାଗି କରାଇବା ସହ ଆଳତୀ କରନ୍ତି । ନିୟମ ଅନୁସାରେ କାଳିଆ ସାଆନ୍ତଙ୍କର ଭୋଗ ଉପରେ ସୂର୍ଯ୍ୟ ଆଲୋକ ପଡିବା କଥା ନୁହେଁ । ପ୍ରଥା ଅନୁସାରେ ରଥ ଉପରକୁ ଶଙ୍ଖୁଡ଼ି ଭୋଗ ନେଲାବେଳେ ସୂର୍ଯ୍ୟ ଆଲୋକ ପଡିଲେ ତାହା ଅପବିତ୍ର ହୋଇଯାଏ । ତେଣୁ ସେଠାରେ ଶଙ୍ଖୁଡି ଭୋଗ ଲାଗି କରାଯାଏ ନାହିଁ । ସେଥିପାଇଁ ରଥରେ କେବଳ ଶୁଖିଲା ଭୋଗ ଲାଗି କରାଯାଏ । ଗର୍ଭ ଗୃହରେ ଭୋଗ ହେବାପରେ ସିଂହାସନ ପାଖରୁ ହିଁ ପୂଜାପଣ୍ଡାମାନେ ରୋଷଘରକୁ ଫୁଲ ଦେଇଥାନ୍ତିି । ଏହାପରେ ଏହି ଭୋଗ ମା’ ବିମଳାଙ୍କ ପାଖରେ ଲାଗି କରାଯାଏ । କିନ୍ତୁ ରଥ ଉପରେ ଏପରି ନୀତି କରାଯାଏ ନାହିଁ । ହଜାର ହଜାର ଲୋକମାନଙ୍କ ସମ୍ମୁଖରେ ଅନ୍ନଭୋଗ ଲାଗି କରାଯାଏ ନାହିଁ । ତେବେ ଠାକୁରମାନେ ବାଟରେ ପୋଡପିଠା ଖାଆନ୍ତି । ପରେ ଆଡପ ମଣ୍ଡପକୁ ପହଣ୍ଡି ବିଜେ କଲାପରେ ପ୍ରଥମେ ଘିଅ ପଖାଳ ଲାଗି କରାଯାଏ । ତେବେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ପାଖରେ ଅନେକ ଦ୍ରବ୍ୟ ଭୋଗ ଲାଗାଯାଏ । କିନ୍ତୁ ମହାପ୍ରଭୁ ଖେଚୁଡି ଖାଇବା ଲାଗି ଭଲପାଆନ୍ତି ।

rathajatra

ପହଣ୍ଡି ସମୟରେ ଶୁଖିଲା ଭୋଗ ଦିଆଯାଏ । ବାଟରେ ବିଡିଆ ପାନ ମଧ୍ୟ ଦିଆଯାଏ । ରଥ ଉପରେ ଚତୁର୍ଦ୍ଧାମୂରତିଙ୍କ ରୀତିନୀତି କରାଯାଇଥାଏ । ରଥ ଉପରେ ମହାପ୍ରଭୁ ଯେତେ ଦିନ ବିରାଜ କରନ୍ତି ସେତେ ଦିନ ପର୍ଯ୍ୟନ୍ତ ଅନ୍ନ ଭୋଗ ଲାଗି କରାଯାଏ ନାହିଁ । ଘୋଷଯାତ୍ରାରେ ବିଜେ ହେବା ପୂର୍ବରୁ ଖେଚୁଡି ଭୋଗ ଲାଗି କରାଯାଏ । ସେହିପରି ଭାବରେ ବାହୁଡାରେ ମଧ୍ୟ ଆଡପ ମଣ୍ଡପରୁ ପହଣ୍ଡି ବିଜେ ହେବା ପୂର୍ବରୁ ଅନ୍ନ ଭୋଗ ଲାଗି କରାଯାଏ । ନିଳାଦ୍ରୀ ବିଜେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଓ ମହାଲକ୍ଷ୍ମୀଙ୍କ ବଚନିକା ସରିବା ପରେ ରାତ୍ରି ସମୟରେ ଅନ୍ନ ଭୋଗ ଲାଗି କରାଯାଏ ବୋଲି ଗବେଷକ ମାନେ ସୂଚନା ଦେଇଛନ୍ତି ।