ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମପର୍ବ ହେଉଛି ‘ନୀଳାଦ୍ରି ବିଜେ’। ଜ୍ୟେଷ୍ଠ ଶୁକ୍ଳଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରର ସିଂହଦ୍ଵାରକୁ ଫେରିବା ପରେ, ଶ୍ରୀଜିଉମାନେ ଯେଉଁଦିନ ନୀଳାଦ୍ରିକନ୍ଦରର ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେହିଦିନଟି ‘ନୀଳାଦ୍ରିବିଜେ’ ଭାବରେ ପ୍ରସିଦ୍ଧ। ଏହା ଏକ ପରମ ଆନନ୍ଦଦାୟକ ପର୍ବ।

ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହା ‘ଦ୍ଵାଦଶୀ-ନୀଳାଦ୍ରି ବିଜେ’ ବୋଲି ଉଲ୍ଲେଖ ଅଛି। ଆହୁରି ସ୍ପଷ୍ଟ ଭାବରେ ସେଥିରେ କୁହାଯାଇଛି, ‘‘ଏହି ନୀତି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ଦିନ ହୁଏ।’’ କିନ୍ତୁ ଏହି ନୀତି ଏବେ ଦ୍ଵାଦଶୀ ଦିନ ହେଉନାହିଁ। ଏକାଦଶୀ ଦିନ ରଥ ଉପରେ ଶ୍ରୀଜିଉମାନଙ୍କର ‘ବଡ଼ ତଢ଼ଉ ବେଶ’ ବା ସୁନାବେଶ ହେବାପରେ, ଦ୍ଵାଦଶୀ ଦିନ ‘ଅଧରପଣା ନୀତି’ ଅନୁଷ୍ଠିତ ହେଉଛି। ଏଣୁ ‘ଦ୍ଵାଦଶୀ ନୀଳାଦ୍ରିବିଜେ’ ପରିବର୍ତ୍ତେ ସେହି ଦିନକୁ ‘ଅଧର ଦ୍ଵାଦଶୀ’ କୁହାଯାଉଛି। ତ୍ରୟୋଦଶୀ ଦିନ ବା କେବେ କେବେ ଚତୁର୍ଦ୍ଦଶୀ ଦିନ ନୀଳାଦ୍ରିବିଜେ ହେଉଛି।

ନୀଳାଦ୍ରିବିଜେ ନୀତି ସଂପର୍କରେ ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି, ‘‘ଏହି ଦିନ ଠାକୁରମାନଙ୍କର ଗୋଟି ପହଣ୍ଡି ହୁଏ। ସନ୍ଧ୍ୟାଧୂପ ସରିବା ପରେ, ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ। ରାଘବ ଦାସ ମଠ ଟାୟା (ଟାହିଆ) ଯୋଗାନ୍ତି। ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୁଏ। ଅଖଣ୍ଡ ବଇଠା ବସାହୁଏ। ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ଆସନ୍ତି।’’ ତେବେ, ତା’ ପୂର୍ବରୁ ପ୍ରଥମେ ରାମ-କୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ଯାଇଥାଆନ୍ତି। ତାଙ୍କ ପରେ ଶ୍ରୀସୁଦର୍ଶନଙ୍କର ପହଣ୍ଡି ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୁଏ ସବାଶେଷରେ।

ଲୋକନାଥ ବିଦ୍ୟାଧର ମହାପାତ୍ରଙ୍କ ‘ନୀଳାଦ୍ରି ମହୋତ୍ସବ’ ଏ ସଂପର୍କିତ ଏକ ଉଲ୍ଲେଖନୀୟ ଗ୍ରନ୍ଥ। ‘ଉତ୍କଳୀୟ ପ୍ରାଚ୍ୟ ଗ୍ରନ୍ଥମାଳା (ଓଡ଼ିଆ)’ ଅନ୍ତର୍ଗତ ୩୭ତମ ପୁସ୍ତକ ରୂପେ ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ୧୯୯୧ରେ ପ୍ରକାଶ ପାଇଛି। ଏହି ପୁସ୍ତକର ମୋଟ ୨୬ଟି ଅଧ୍ୟାୟ ଏବଂ ସେଥିରେ ରହିଛି ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରାର ହୃଦ୍ୟ ବର୍ଣ୍ଣନା। ସେଥିରୁ ସପ୍ତଦଶ ଅଧ୍ୟାୟରେ ସ୍ଥାନ ପାଇଛି ଶ୍ରୀଜଗନ୍ନାଥଙ୍କ ‘ମନ୍ଦିର ପ୍ରବେଶ’ ଓ ‘ନୀଳାଦ୍ରି ବିଜେ’ ପ୍ରସଙ୍ଗ। ଲୋକନାଥ ବିଦ୍ୟାଧର ଥିଲେ ରୀତିଯୁଗର କବି ଏବଂ ତାଙ୍କର ସମୟ ସପ୍ତଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ଓ ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ (୧୬୬୮-୧୭୨୦)। ତାଙ୍କର ପିତା ଜଗନ୍ନାଥ ବିଦ୍ୟାଧର ଥିଲେ ଗଜପତି ଦ୍ଵିତୀୟ ଦିବ୍ୟସିଂହ ଦେବଙ୍କର ପାତ୍ର।

ରାଗ ‘କେଦାର କାମୋଦୀ’ରେ ରଚିତ ସେହି ସପ୍ତଦଶ ଅଧ୍ୟାୟରେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେର ଚିତ୍ର ଅତ୍ୟନ୍ତ ମନୋରମ। ସ୍ୱତ୍ଵଲିପିର ବର୍ଣ୍ଣନା ଅନୁସାରେ, ‘‘ଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀଠାକୁରାଣୀ ମହାଜନଙ୍କ ହାତରେ ବିଜେ ହୋଇ ଦେବଦାସୀ ସହ ଭେଟମଣ୍ଡପଠାରେ ଖଟଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥାଆନ୍ତି। ରଥରେ ଠାକୁରଙ୍କ ବନ୍ଦାପନା ହେଲେ ଭିତରଚ୍ଛ ମହାପାତ୍ର ଏହାଙ୍କର ବନ୍ଦାପନା କରନ୍ତି।’’ ଏହାକୁ ଲକ୍ଷ୍ମୀନାରାୟଣଙ୍କର ‘ଚତୁରକ୍ଷ’ ବା ଚାରିଚକ୍ଷୁର ମିଳନ ରୂପେ ଚିତ୍ରିତ କରିଛନ୍ତି ଲୋକନାଥ ବିଦ୍ୟାଧର। ସେ କହିଛନ୍ତି-

‘‘ଏମନ୍ତେ ଭଦ୍ରା ହଳି ଯାଆନ୍ତେ ଚଳି।
ସୁଦରଶନ ହିଁ ସହିତରେ ମିଳି ଯେ।
ତଥି ଉତ୍ତାରୁ ଲକ୍ଷ୍ମୀ ଶ୍ରୀନାରାୟଣ।
ସାକ୍ଷାତ ଚତୁରକ୍ଷ ହେଲେ ଲୋକନ ଯେ।
ଆନନ୍ଦବୃନ୍ଦ ସିନ୍ଧୁ ଶୀଘ୍ରେ ଉଚ୍ଛୁଳି
କମ୍ବୁ କଟକ ତଟ ଗଲା କି ବଳି ଯେ।’’

ଏହା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ସେହି ଆନନ୍ଦ ଲହରୀରେ ସମସ୍ତେ ମଗ୍ନ ହେବା ସହିତ ତାହାଦ୍ଵାରା ସେମାନଙ୍କର ତ୍ରିତାପ (ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ, ଏହି ତ୍ରିବିଧ ଦୁଃଖ)ର ବିନାଶ ଘଟେ ବୋଲି କବି ଲେଖିଛନ୍ତି।

ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଏବଂ ଭେଟମଣ୍ଡପଠାରେ ଲକ୍ଷ୍ମଦେବୀଙ୍କୁ ସେତେବେଳେ ଏକାବେଳକେ ଯେଉଁ ବନ୍ଦାପନା ହୁଏ, ତାହାକୁ ‘ନୀଳାଦ୍ରି ମହୋତ୍ସବ’ର କବି ଲୋକନାଥ ବିଦ୍ୟାଧର ‘‘ଠାକୁର ଠାକୁରାଣୀଙ୍କ ପ୍ରମୋଦପୂର୍ଣ୍ଣ ନିରାଜନା’’ ବୋଲି ମଧ୍ୟ ଲେଖିଛନ୍ତି।

ଏହାପରେ ହୁଏ ଶ୍ରୀଜଗନ୍ନାଥଙ୍କର ରଥାବତରଣ ଓ ନୀଳାଦ୍ରିବିଜେ ନୀତି। ଏହି ନୀତିର ଏକ ରୋଚକ ଅଧ୍ୟାୟ ହେଉଛି ‘ଲକ୍ଷ୍ମୀ-ନାରାୟଣ ବଚନିକା’, ଯାହା ଲୋକକଥିତ ଭାଷାରେ ‘ଲକ୍ଷ୍ମୀ-ନାରାୟଣ କଳି’।