କେବେ ପାଳିତ ହୁଏ ‘ଧୂଳିଆ ଗୁଣ୍ଡିଚା’ ଯାତ୍ରା ? ୧୫୦ ବର୍ଷର ପରମ୍ପରାକୁ ବେଶ୍ ଭକ୍ତି ସହକାରେ ପାଳନ କରନ୍ତି ସ୍ଥାନୀୟ ଅଧିବାସୀ

7

ସାଧାରଣତଃ ଶ୍ରୀଗୁଣ୍ଡିଚା ପର ଦିନକୁ ‘ ଧୂଳିଆ ଗୁଣ୍ଡିଚା’ କୁହାଯାଏ । ରଥଯାତ୍ରା ସମ୍ପର୍କରେ ମିଳୁଥିବା ପ୍ରାଚୀନ ଗ୍ରନ୍ଥ, କାବ୍ୟ, କବିତାରୁ ଧୂଳିଆ ଗୁଣ୍ଡିଚା ବିଷୟରେ କୌଣସି ଉଲ୍ଲେଖ ଥିବାର ଦୃଷ୍ଟିକୁ ଆସିନାହିଁ । ଆଜକୁ ପ୍ରାୟ ୧୫୦ ବର୍ଷ ପୂର୍ବେ ‘ଉତ୍କଳ ଦୀପିକା’ ସମ୍ବାଦ ପତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ସେତେବେଳେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବାକୁ ପ୍ରାୟ ତିନି ରୁ ଚାରି ଦିନ ସମୟ ଲାଗୁଥିଲ୍ା । ସେ ସମୟରେ ପଶ୍ଚିମା ଓ ବଙ୍ଗୀୟ ଯାତ୍ରୀମାନେ ଶ୍ରୀଗୁଣ୍ଡିଚା ପର ଦିନ ତିନି ରଥ ଟାଣିବାକୁ ସୁଯୋଗ ପାଉଥିଲେ । ଏହି ଦିନର ଯାତ୍ରା ‘ଧୂଳିଆ ଗୁଣ୍ଡିଚା’ ନାମରେ ପରିଚିତ ହେଉଥିଲା । ବର୍ତ୍ତମାନ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଗୁଣ୍ଡିଚା ପରିଦିନର ରଥଟଣା ଓ ଯାତ୍ରାକୁ ‘ଧୂଳିଆ ଗୁଣ୍ଡିଚା’ ନାମରେ କୁହାଯାଇଥାଏ । ଧୂଳିଆ ଗୁଣ୍ଡିଚା ଦିନ ରଥ ଟାଣିବାକୁ ବହୁ ଭକ୍ତଙ୍କର ସମାଗମ ହୋଇଥାଏ ।

ଅନ୍ୟ କେତେଙ୍କ ମତରେ ପୂର୍ବେ ଯେଉଁ ବର୍ଷ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ରାସ୍ତାରେ ଧୂଳି ଉଡେ ତାହାକୁ ଧୂଳିଆ ଗୁଣ୍ଡିଚା କୁହାଯାଏ ଏବଂ ଅନ୍ୟ ପକ୍ଷରେ ଯେଉଁ ସମୟରେ ବର୍ଷା ହୋଇ ରାସ୍ତାରେ କାଦୁଅ ହୋଇଥାଏ ତାହାକୁ କାଦୁଅ ଗୁଣ୍ଡିଚା କୁହାଯାଏ । ସାଧାରଣତଃ ରଥଯାତ୍ରା ସମୟରେ ଯେଉଁ ଥର ତିନୋଟି ଯାକ ରଥ ଗୋଟିଏ ଦିନରେ ମାଉସୀ ମା’ ମନ୍ଦିର ପାଖରେ ଲାଗିଥାଏ, ସେ ଦିନ ତତପର ଦିନ ସନ୍ଧ୍ୟାରେ ଠାକୁରମାନଙ୍କର ଅଡପ ବିଜେ ପହଣ୍ଡି ହୋଇଥାଏ । ଯଦି ରଥଯାତ୍ରା ପରଦିନ ରଥଗୁଡକ ଲାଗିଥାଏ , ତେବେ ଦଇତାପତି ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ଅନୁଯାୟୀ ଉକ୍ତ ଦିନ କିମ୍ବା ତାହା ପର ଦିନ ଠାକୁରମାନଙ୍କ ପହଣ୍ଡି ହୋଇଥାଏ । ରଥ ଉପରୁ ଗୁଣ୍ଡିଚା ଘରକୁ ଠାକୁରମାନେ ବିଜେ କରିବା ସମୟରେ ବନ୍ଦାପନା, ଡୋରିଲାଗି, ଘସା, ବିଡିଆ ମଣୋହି ଇତ୍ୟାଦି କେତେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଏହି ପହଣ୍ଡି ନୀତିରେ ଦଇତାପତି ସେବକମାନଙ୍କ ବ୍ୟତୀତ ପତି ମହାପାତ୍ର, ମୁଦିରସ୍ତ, ଦିହୁଡି, ଗରାବଡୁ, ମେକାପ, ଖୁଣ୍ଟିଆ, ପୁଷ୍ପାଳକ ମହାଜନ ପୂଜାପଣ୍ଡା, ଛତାର, ଓଲାର ଇତ୍ୟାଦି ବହୁ ସେବକର ଆବଶ୍ୟକତା ପଡିଥାଏ ।

Source:rgyan.com

ଶ୍ରୀମନ୍ଦିର ସତ୍ୱଲିପିରେ ଉଲ୍ଲେଖ ହୋଇଛି ଆଡପ ବିଜେ ଧୂଳିଆ ଗୁଣ୍ଡିଚା ଦିନ ମଙ୍ଗମଠ, ଏମାରମଠ, ନେବଳଦାସ, ଚନ୍ଦ୍ରାଭୋଇ, ଜଗନ୍ନାଥ ବଲ୍ଲଭ ମଠ, ଗଙ୍ଗାମାତା ମଠ, ଓଡିଆ ମଠ, ରାଘବଦାସ ମଠ ଓ ଗୋପୀନାଥ ପୂଜାପଣ୍ଡା ସାମନ୍ତଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତି ଭୋଗ ହୋଇଥାଏ । ଅଧିକାଂଶ ବର୍ଷ ରଥଯାତ୍ରା ଦିନ ତିନିରଥ ଯାକ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚି ପାରି ନଥାଏ । ତେଣୁ ତା’ପରଦିନ ରଥଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଲାଗିଥାଏ । ସ୍ଥାନୀୟ ଅଧିବାସୀମାନେ ଉକ୍ତ ଦିନ ରଥଟଣାରେ ଅଂଶ ଗ୍ରହଣ କରିଥିବାର ଜଣାଯାଏ । କାରଣ ଶ୍ରୀ ଗୁଣ୍ଡିଚା ଦିନ ଅତ୍ୟଧିକ ଜନ ସମାଗମ ହେତୁ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ପଶ୍ଚିମା ଯାତ୍ରୀ ତା’ପର ଦିନ ରଥଟଣାରେ ଯୋଗଦାନ କରିବା ପାଇଁ ଶ୍ରେୟସ୍କର ମଣିଥାନ୍ତି ।

Comments are closed.