ଟ୍ୱିଟରରେ ଟ୍ରେଣ୍ଡ କଲା #ରଥଯାତ୍ରା : ସୋସିଆଲ ମିଡ଼ିଆରେ ଛୁଟିଲା ଅଭିନନ୍ଦନର ସୁଅ

170

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ମହାପ୍ରଭୁଙ୍କ ରଥରେ ଦର୍ଶନ କରିବା ପାଇଁ ଭକ୍ତ ଅନେଇ ବସିଛନ୍ତି । କେତେବେଳେ ରଥରେ ବସିବେ ମହାପ୍ରଭୁ, ଆଉ ତିନି ଠାକୁରଙ୍କୁ ରଥରେ ଦେଖି ମୋକ୍ଷ ପାଇବେ ଭକ୍ତ । ଏମିତି ଅନେକ ଆବେଗରେ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଦେଖିବା ପାଇଁ ମିଳୁଛି ।  ଆଜି ମହାପ୍ରଭୁଙ୍କ ପବିତ୍ର ଯାତ୍ରା ଉପଲକ୍ଷେ ଟ୍ୱିଟରରେ ଟ୍ରେଣ୍ଡ କରୁଛି #ରଥଯାତ୍ରା । ତେବେ #ରଥଯାତ୍ରା ଟ୍ରେଣ୍ଡ କରିବା ସହ #ରଥୟାତ୍ରା ମଧ୍ୟ ଟ୍ରେଣ୍ଡ କରୁଛି । ଏନେଇ କନକ ନ୍ୟୁଜ ତରଫରୁ ଅପିଲ କରାଯାଉଛି #ରଥୟାତ୍ରା ପରିବର୍ତ୍ତେ #ରଥଯାତ୍ରା ଲେଖନ୍ତୁ ।

ସୋସିଆଲ ମିଡ଼ିଆରେ ଛୁଟିଛି ଅଭିନନନ୍ଦନର ସୁଅ । ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କ ଏହି ଯାତ୍ରା ଯୋଗୁଁ ଭିନ୍ନ ପରମ୍ପରା,ବିଶ୍ୱାସ ତଥା ଆସ୍ଥା ସତ୍ୱେ ଲୋକଙ୍କ ମଧ୍ୟରେ ଏକତାକୁ ବୃଦ୍ଧି କରୁଛି ବା ଲୋକଙ୍କୁ ଏକାଠି ବାନ୍ଧି ରଖିବାରେ ସାହାଯ୍ୟ କରୁଛି ।

ଅନ୍ୟପଟେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ ବିକାଶଶୀଳ ଦେଶ ଓ ଭଲ ସମାଜ ପାଇଁ ଭଗବାନଙ୍କ ଠାରେ ସେ ପ୍ରାର୍ଥନା ଜଣାଇଛନ୍ତି ।

ବାଲୁକାକଳା ମାଧ୍ୟମରେ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ସମସ୍ତଙ୍କ ଖୁସି ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ତଥା ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପବିତ୍ର ରଥଯାତ୍ରା ଉପଲକ୍ଷେ ଟ୍ୱିଟରରେ ସମସ୍ତଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ସଫଳତା, ଖୁସି ପାଇଁ ଜଗନ୍ନାଥଙ୍କ ପାଖରେ ସେ ଗୁହାରି କରିଛନ୍ତି ।