ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ। ଯୁଗେ ଯୁଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଜଗତ ବିଖ୍ୟାତ ହୋଇଛି। ପୌରାଣିକ ମତାନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜୀଉମାନଙ୍କ ନିମିତ୍ତ ସୁଦୃଶ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଇତ୍ୟାଦି କାର୍ୟ୍ୟ ପରାଣ ଯୁଗର ମହାରାଜା ଇନ୍ଦ୍ରଦ୍ୟୁମ୍ନ କରିଥିଲେ। ତାଙ୍କର ରାଣୀଙ୍କ ନାମ ଥିଲା ଗୁଣ୍ଡିଚା ଦେବୀ। ରାଣୀ ଗୁଣ୍ଡିଚାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରଥଯାତ୍ରାର ପ୍ରଚଳନ ବୋଲି ଗୋଟିଏ ମତ ରହିଅଛି।
ଗୁଣ୍ଡିଚା ଯାତ୍ରା ସମ୍ପର୍କରେ ଆଉ ଏକ ମତ ହେଲା, ‘‘ଗୁଡ଼ିସା’’ ଅର୍ଥ କାଠ। ଶ୍ରୀଜୀଉମାନଙ୍କ ବିଗ୍ରହ ଦାରୁ ବା କାଷ୍ଠରେ ନିର୍ମିତ। ଏହି ଯାତ୍ରା ‘କାଠ ଦିଅଁ’ଙ୍କର ହୋଇଥିବାରୁ ଗୁଡ଼ିସା ଯାତ୍ରାରୁ କାଳକ୍ରମେ ‘ଗୁଣ୍ଡିଚା ଯାତ୍ରା’ ନାମରେ କଥିତ ହୋଇଛି।