ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବଡ଼ଦାଣ୍ଡ । ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ପହଁଚିଲା ତିନି ରଥ । କାଲି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି ।

228

କନକ ବ୍ୟୁରୋ : କେତେବେଳେ ବଡଦାଣ୍ଡକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି, ଆଉ ରଥରେ ବିଜେ ହେବେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରିରହିଥିଲେ । ଆଉ ସେହି ମୁହୁର୍ତ ଆସିଗଲା । ପହଣ୍ଡିରେ ତିନିଠାକୁର ବାଇଶପାହାଚ ଦେଇ ବଡଦାଣ୍ଡକୁ ଆସିଥିଲେ । ତିନିରଥରେ ରଥାରୂଢ ହୋଇଥିଲେ ମହାପ୍ରଭୁ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥ ଟଣା ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବିରଳ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । ଆଉ ରତ୍ନ ସିିଂହାସନରୁ ଓହ୍ଲାଇ ଆସିଥିଲେ ମହାବାହୁ । ଆନନ୍ଦ ବଜାର ଦେଇ ପହଣ୍ଡି ହୋଇଆସୁଥିଲେ ଚତୁର୍ଦ୍ଧାମୂତି । ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ବାଇଶପାହାଚରେ ପହଣ୍ଡି ହୋଇଆସିବାର ଦୃଶ୍ୟ ଥିଲା ବେଶ ଅନନ୍ୟ । ଧୀରେ ଧୀରେ ବଡଦାଣ୍ଡରୁ ପହଣ୍ଡି ହୋଇଆସିଥିଲେ ଜଣଙ୍କ ପରେ ଜଣେ ଠାକୁର । ଟାହିଆ ହଲୁଥାଏ, ଘଂଟଘଂଟାରେ ପ୍ରକମ୍ପିତ ହେଉଥାଏ ପୁରା ପରିବେଶ । ଚାରିଆଡେ ଶୁଭୁ ଥାଏ ଜୟ ଜଗନ୍ନାଥର ଧ୍ୱନି । ହରିବଲ ଧୋନୀରେ ରଥ, ପଥ, ଜଗନ୍ନାଥ ସବୁ ଏକାକାର ।

ପରମ୍ପରା ଅନୁସାରେ ବଡଦାଣ୍ଡରେ ଚାଲିଥାଏ ଓଡିଶୀ ନୃତ୍ୟ । ଏହି ନୃତ୍ୟ ବିଶ୍ୱବିଧାତାଙ୍କୁ ସ୍ୱାଗତ କରିବା ପାଇଁ । ଦେବତାଙ୍କ ରୂପରେ ନିଜକୁ ସଜାଇ ଭକ୍ତମାନେ ବୁଲୁଥାନ୍ତି । କହିବାକୁ ଗଲେ ପୁରା ବଡଦାଣ୍ଡ ଜଗନ୍ନାଥମୟ । ଦେଖିଲେ ଲାଗୁଥାଏ ସତେ ଯେମିତି ସ୍ୱର୍ଗପୁରରେ ମହାପ୍ରଭୁଙ୍କ ଚାଲିଛି ଲୀଳାଖେଳା ।

ରଥ ଉପରେ ପହଂଚିବାପରେ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା । ପରେ ତିନି ରଥରେ ଘୋଡା ଜଚା ଯାଇଥିଲା । ଆଉ ଆରମ୍ଭ ହୋଇଥିଲା ରଥ ଟଣା ।

ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ଦେଖିବା ପାଇଁ କାହିଁ କେଉଁଆଡୁ ଭକ୍ତଙ୍କ ସୁଅ ଛୁଟିଥିଲା ଶ୍ରୀ କ୍ଷେତ୍ରକୁ । ହାତ ଯୋଡି ବ୍ୟାକୁଳ ମନରେ ମନର ଠାକୁରଙ୍କ ଦର୍ଶନ କରୁଥିଲେ ଭକ୍ତ । ବିଶେଷ କରି ବିଦେଶି ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ବଡଦାଣ୍ଡରେ । ଭାବର ଠାକୁରଙ୍କୁ ପାଖରେ ପାଇଁ ଭକ୍ତଙ୍କ ଖୁସି କହିଲେ ନସରେ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଚତୁର୍ଦ୍ଧାମୁରତିଙ୍କ ଦର୍ଶନ କରିଥିଲେ ।

ବଡ ଦାଣ୍ଡରେ ବଡ ରଥରେ ବଡ ଠାକୁର । ଆଉ ଲୋକାରଣ୍ୟ ହୋଇଥାଏ ପୁରା ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡି ଗୁଣ୍ଡିଚାମନ୍ଦିର ଅଭିମୁଖେ ତିନି ଠାକୁର । ରାସ୍ତା ମଝିରେ ଅଟକି ପୋଡ ପିଠା ଖାଇବାର ପରମ୍ପରା ମଧ୍ୟ ରହିଛି । ଆଉ ଏସବୁ ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଷୀ ଲାଲ । ବହୁ ଭିଭିଆଇପି ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।