ଇତିହାସ ରଚିଲା ଏଥରର ରଥଯାତ୍ରା! ଦେଢ଼ ଘଂଟା ଆଗରୁ ଟଣା ହେଲା ମହାପ୍ରଭୁଙ୍କ ରଥ, ସନ୍ଧ୍ୟା ହେବାରୁ ଅଧା ବାଟରେ ଅଟକିଲା ନନ୍ଦିଘୋଷ

75

କନକ ବ୍ୟୁରୋ : ଆଜି ପାଇଁ ସରିଛି ରଥଟଣା । ସନ୍ଧ୍ୟା ହେବା ପୂର୍ବରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ବଳଗଣ୍ଡି ଠାରେ ଅଟକି ରହିଛି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଫଳରେ ଆଜି ମାଉସୀ ମା’ ଘରକୁ ଯାଇପାରି ନାହାନ୍ତି ତିନି ଠାକୁର । ଆଜି ଗୋଟିଏ ରାତି ରଥରେ ବିଜେ ହେବେ ମହାପ୍ରଭୁ । ଆଉ କାଲି ସକାଳ ହେବା ପରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ତିନି ଠାକୁରଙ୍କୁ ମାଉସୀ ମା’ ଘରକୁ ନିଆଯିବ । ମହାପ୍ରଭୁ ରଥ ଉପରେ ଥିବାରୁ ଆଜି ରତ୍ନ ସିଂହାସନରେ ହେଉଥିବା ନୀତିକାନ୍ତ ରଥ ଉପରେ ହିଁ ହେବ ।

ବଡ଼ଦାଣ୍ଡରେ ଆଜି ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ଜନସମୁଦ୍ର ଦେଖାଯାଇଥିଲା। ଅପରାହ୍ନରେ ପ୍ରାୟ ୩ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବା ସତ୍ତ୍ୱେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମି ନଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ଵୟ ଯୋଗୁଁ ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ଦୀର୍ଘ ୨ରୁ ୩ ବର୍ଷ ଧରି ଯେଉଁ ଘଟଣା ଦେଖିବାକୁ ମିଳିନଥିଲା ତାହା ଆଜି ଦେଖିବାକୁ ମିଳିଛି । ଫଳରେ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଥିଲା । ତେବେ ସନ୍ଧ୍ୟା ହେବାରୁ ବଳଗଣ୍ଡି ଠାରେ ଅଟକି ଯାଇଥିଲା ନନ୍ଦିଘୋଷ । ଶ୍ରୀଜିଉଙ୍କୁ ରବିବାର ଆଡ଼ପମଣ୍ଡପରେ ବିଜେ କରାଯିବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ବେଳେ, ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରସ୍ତୁତି କରାଯାଇଛି।