ରଥ ଓ ମନ୍ଦିର: ମାନବର ଶରୀର ! କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ମାନବଶରୀର ସହିତ ତୁଳନା କରାଯାଇଛି

3

କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ଆମ ଶରୀର ସହିତ ତୁଳନା କରାଯାଇଛି। ‘କଠୋପନିଷଦ’ର ସେହି ତତ୍ତ୍ଵ ବହୁଚର୍ଚ୍ଚିତ, ଯେଉଁଥିରେ ନଚିକେତାଙ୍କୁ ଯମରାଜ କହିଛନ୍ତି- ହେ ନଚିକେତା ! ଶରୀର ହେଉଛି ରଥ। ଆତ୍ମା ରଥୀ। ବୁଦ୍ଧି ସେହି ରଥର ସାରଥି। ମନ ତାହାର ପ୍ରଗ୍ରହ ବା ଲଗାମ। ଇନ୍ଦ୍ରିୟମାନେ ସେହି ରଥର ଅଶ୍ୱ। ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ ସକଳ ସେହି ରଥର ପଥ।

ସେହିପରି ଗଠନରୀତି ଦୃଷ୍ଟିରୁ ମଧ୍ୟ ରଥକୁ ମାନବଶରୀର ସହିତ ତୁଳନା କରାଯିବା ତାତ୍ପର୍ଯ୍ୟପୂର୍ଣ୍ଣ। ଏ ପ୍ରସଙ୍ଗରେ ‘ଶ୍ରୀପୁରୁଷୋତ୍ତମ ପ୍ରାସାଦ’ ବା ଶ୍ରୀମନ୍ଦିରକୁ ମାନବ ଶରୀର ସହିତ କରାଯାଇଥିବା ତୁଳନା ପ୍ରଣିଧାନଯୋଗ୍ୟ। ପଣ୍ଡିତ ସଦାଶିବ ରଥଶର୍ମା ତାଙ୍କ ‘ପୁରୁଷୋତ୍ତମ ଚେତନା’ (ପ୍ରକାଶକ- ଅଖିଳ ଭାରତ ଜଗନ୍ନାଥ ଚେତନା ସଂସଦ, ୧୯୮୮) ପୁସ୍ତକର ‘ପ୍ରାସାଦ ପୁରୁଷ’ ଆଲୋଚନାରେ ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ର ଏକ ଶ୍ଳୋକ (ଅଧ୍ୟାୟ ୨୦, ଶ୍ଳୋକ ୫୫)ର ଉଦ୍ଧୃତି ଦେଇ ‘‘ମୋର ମନ୍ଦିରଟି ମୋହ ପରି ସ୍ଥାପିତ ଓ ପୂଜିତ’’ ବୋଲି କହିଛନ୍ତି। କିନ୍ତୁ ବାବା ଚୈତନ୍ୟ ଚରଣ ଦାସଙ୍କ ଅନୂଦିତ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଦ୍ଵାରା ପ୍ରକାଶିତ ‘ସ୍କନ୍ଦ ପୁରାଣ- ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟମ୍‌’ରେ ଏ ପ୍ରସଙ୍ଗ ଶ୍ଳୋକ-୫୬ରେ ରହିଛି। ଶ୍ଳୋକାଂଶଟି ହେଉଛି ‘‘କଳେବରମିଦଂ କ୍ଷେତ୍ରଂ ଯତ୍ରାହଙ୍କାରବାନ୍‌ ବିଭୁଃ’’। ବାବା ଚୈତନ୍ୟ ଚରଣ ଦାସ ସଂପୂର୍ଣ୍ଣ ଶ୍ଳୋକର ଅନୁବାଦରେ କହିଛନ୍ତି, ‘‘ଏହି ପୁରୁଷୋତ୍ତମ କ୍ଷେତ୍ର ପୁରୁଷୋତ୍ତମଙ୍କର କଳେବର ସ୍ୱରୂପ। ପ୍ରଭୁ ଏଠାରେ ଆବିର୍ଭାବ ଓ ତିରୋଭାବର ଅହଂକାରକୁ ନେଇ ନିତ୍ୟ ଅବସ୍ଥାନ କରୁଛନ୍ତି।’’ ଏଣୁ ଏଥିରେ ‘କ୍ଷେତ୍ର’ କଥା କୁହାଯାଇଛି, ‘ପ୍ରାସାଦ’ ବା ମନ୍ଦିର କଥା କୁହାଯାଇ ନାହିଁ।

ତେବେ ‘ପ୍ରାସାଦ ପୁରୁଷ’ ଆଲୋଚନାରେ ଶ୍ରୀ ରଥଶର୍ମା ‘ପ୍ରତିଷ୍ଠାପ୍ରଦୀପ’ ଗ୍ରନ୍ଥ (ପ୍ରକାଶକ- କ୍ଷେମରାଜ ପ୍ରକାଶନ, ବମ୍ବେ)ର ପରିଶିଷ୍ଟରେ ଥିବା ‘‘ପ୍ରାସାଦାଭିମୁଖୋ ଭୂତ୍ଵା ଦେବରୂପଂ ପ୍ରାସାଦଂ ଧ୍ୟାୟେତ୍‌’’ର ଯେଉଁ ଉଲ୍ଲେଖ କରିଛନ୍ତି, ତାହା ଅନୁସାରେ ମନ୍ଦିର ମଧ୍ୟ ସ୍ୱୟଂ ପ୍ରଭୁଙ୍କ ପରି ଧ୍ୟାନଯୋଗ୍ୟ ବା ପୂଜନୀୟ। ଏ ପ୍ରସଙ୍ଗରେ ସେ କହିଛନ୍ତି- ଏହା ଉତ୍କଳୀୟ ସ୍ଥାପତ୍ୟ ଦର୍ଶନର ଗମ୍ଭୀରତମ ଅଭିବ୍ୟକ୍ତି ଏବଂ ସମଗ୍ର ଭାରତର ନାଗର, ବେସର, ଦ୍ରାବିଡ଼, ଚାଲୁକ୍ୟ ଆଦି ସ୍ଥାପତ୍ୟ ଶୈଳୀର କୌଣସି ଶାସ୍ତ୍ରରେ ଏପରି ଆତ୍ମଦର୍ଶନ ପ୍ରକାଶ ପାଇନାହିଁ। ଏ ସଂପର୍କରେ ସେ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି, ‘‘ଏହାର ମର୍ମ ହେଲା, ପାଦଠାରୁ ଶୀର୍ଷ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଭାଗରେ ଯେପରି କଳିଙ୍ଗ ରେଖ ପ୍ରାସାଦ ନିର୍ମିତ, ସେପରି ମନ୍ଦିର ମଧ୍ୟ ସେହି ସେହି ଭାବଜ୍ଞାପକ ଅଙ୍ଗମାନଙ୍କ ଦ୍ଵାରା ଏକ ପୁରୁଷ ରୂପରେ ଗଠିତ।’’ ଏହି ପ୍ରସଙ୍ଗରେ, ଉଲ୍ଲିଖିତ ପୁସ୍ତକରେ ସେ ‘ପ୍ରାସାଦ’ ବା ମନ୍ଦିର ସହିତ ମାନବ ଶରୀର ବା ‘ପୁରୁଷ’ର ଏକ ତୁଳନାତ୍ମକ ରେଖାଚିତ୍ର ଦେଇଛନ୍ତି।

ସେହିପରି, ପଙ୍କଜ ସାହୁଙ୍କ ପରି ଆଲୋଚକ ମଧ୍ୟ ‘ରଥ ନିର୍ମାଣ ପଦ୍ଧତି’ (ସମୟ, ୬ ଜୁଲାଇ, ୧୯୯୭)ର ଆଲୋଚନା ପ୍ରସଙ୍ଗରେ ରଥକୁ ମାନବ ଶରୀର ସହିତ ତୁଳନା କରିଛନ୍ତି। ସେହି ଆଲୋଚନା ଅନୁସାରେ- ମାନବ ଶରୀରକୁ ଯେପରି ପାଦ, ଦଣ୍ଡ (ନଳିଗୋଡ଼) ଆଣ୍ଠୁ, ଊଦ୍ଧ୍ଵର୍ଜଙ୍ଘ, କଟି, ଉଦର, ହୃଦୟ, ସ୍କନ୍ଧ, କଣ୍ଠ, ମୁଖ, ଖର୍ପର, ଶୀର୍ଷ ଓ ଶୀର୍ଷାଭୀର ଭାବରେ ୧୩ ଭାଗରେ ବିଭକ୍ତ କରାଯାଏ, ରଥର ଅବୟବକୁ ମଧ୍ୟ ସେହିପରି ୧୩ ଭାଗରେ ବିଭକ୍ତ କରାଯାଏ। ‘ରଥ ନିର୍ମାଣ କାରିକା’ରେ ଏହାର ଉଲ୍ଲେଖ ଅଛି ଏବଂ ଏହି ପାରମ୍ପରିକ ପଦ୍ଧତିରେ ରଥ ନିର୍ମିତ ହେଉଥିବା କଥା କୁହାଯାଇଛି। ତଦନୁସାରେ, ଏହି ୧୩ଟି ଭାଗ ହେଉଛି- ୧. ଚକ୍ରପୀଠ, ୨. ଅରଦଣ୍ଡ, ୩. ଗର୍ଗରା, ୪. ମୁଲମାବ, ୫. ବରାଣ୍ଡି ହଂସପଟା, ୬. ରଥଗର୍ଭ, ୭. ପାରାଭାଡ଼ି, ୮. ପୋଟଳ, ୯. କଳସପୀଠ, ୧୦. ଦଧିନଉତି, ୧୧. କର୍ଣ୍ଣଅଁଳା, ୧୨. ଧାତୁକଳସ ଓ ୧୩. ଆୟୁଧଧ୍ୱଜ। ତେବେ ଏ ବାବଦରେ ବିଭିନ୍ନ ଆଲୋଚକଙ୍କ ବିବରଣୀରେ କିଛି କିଛି ଭିନ୍ନତା ଲକ୍ଷ୍ୟ କରାଯାଏ।

ଏ ସଂପର୍କରେ ଅଧିକ ଆଲୋଚନା କରି କୁହାଯାଇଛି- ମାନବ ଶରୀର ମଧ୍ୟରେ ଥିବା ୩୨ଟି ମୁଖ୍ୟ ନାଡ଼ି ପରି ରଥରେ ମଧ୍ୟ ୩୨ଟି ମୁଖ୍ୟ ଅଂଶ ରହିଛି । ଏହି ତଥ୍ୟ ଓ ବ୍ୟାଖ୍ୟାରୁ, ମନ୍ଦିର ପରି ରଥର ଅବୟବ ଗଠନ ମଧ୍ୟ ମାନବ ଶରୀର (ପୁରୁଷ) ସହ ତୁଳନୀୟ ବୋଲି ପ୍ରତିପାଦିତ ହୋଇଥାଏ ।

Comments are closed.